କେସିଙ୍ଗା/କ୍ରାନ୍ତିକ୍ଷେତ୍ର(ମଧୁସୂଦନ ଠାକୁର) : କେସିଙ୍ଗା ଏନ୍.ଏ.ସି. ଅନ୍ତର୍ଗତ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପଡାର ବରିଷ୍ଠ ନାଗରିକ ଜି. ଜୁରିଆ ରେଡ୍ଡୀ ଗତ କାଲି ବିଳମ୍ବିତ ରାତିରେ ନିଜ ବାସଭବନରେ ଆକସ୍ମିକ ହୃଦଘାତରେ ୮୦ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ତାଙ୍କ ବିୟୋଗ ଖବର ଶୁଣି ଚାରିଆଡ଼େ ଶୋକର ବାତାବରଣ ଖେଳିଯାଇଛି। ସେ ୨୦୦୭ ମସିହାରେ କଳାହାଣ୍ଡି ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟରୁ ଅବସର ଗ୍ରହଣ କରିଥିଲେ। ତାଙ୍କ ଜୀବନ କାଳରେ ସେ ଜଣେ ନୀତିନିଷ୍ଠ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଭକ୍ତ , ଭାଗବତ ପ୍ରେମୀ ତଥା ଜନ ହିତ୍ବେଷୀ ହିସାବରେ କେସିଙ୍ଗା ତଥା ଆଖପାଖ ଅଞ୍ଚଳରେ ଖୁବ୍ ଜଣାଶୁଣା ଥିଲେ। ସେ ଭଜନ, ଜଣାଣ ତଥା କୀର୍ତ୍ତନ ଗୀତ ସମ୍ବଳିତ ‘ମନ ମନ୍ଥନ’ ଗୀତି ଗ୍ରନ୍ଥ ରଚନା କରିଥିଲେ। ତାଙ୍କ ଦୁଃଖଦ ବିୟୋଗରେ ତାଙ୍କ ପତ୍ନୀ, ପୁଅ-ବୋହୂ, ଝିଅ-ଜୋଇଁ , ନାତିନାତୁଣୀ, ବନ୍ଧୁବର୍ଗ ଓ ଶୁଭେଚ୍ଛୁମାନେ ମ୍ରିୟମାଣ ହୋଇ ପଡିଛନ୍ତି। କେସିଙ୍ଗା -ବଲାଙ୍ଗୀର ଛକ ସ୍ଥିତ ସ୍ବର୍ଗଧାମରେ ହିନ୍ଦୁ ରୀତିନୀତି ଅନୁଯାୟୀ ତାଙ୍କର ଏକମାତ୍ର ପୁତ୍ର ଜି.କ୍ରିଷ୍ଣା ରେଡ୍ଡୀ ମୁଖାଗ୍ନି ଦେବା ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।
