ବର୍ଷାରେ ବି ଉଛୁଳିଲା ଭକ୍ତିର ବନ୍ୟା : ଲଡୁଗାଁରେ କୁନି ରଥେ ଦର୍ଶନ ଦେଲେ ବଡ଼ ଠାକୁର

କୋକସରା/କ୍ରାନ୍ତିକ୍ଷେତ୍ର : ମେଘୁଆ ପାଗ ଓ ଲଘୁଚାପ ଜନିତ ବର୍ଷାର ଝିପିଝିପି ପ୍ରକୋପ ସତ୍ତ୍ୱେ କାଳିଆ ପ୍ରେମରେ ବାଧା ସାଜିପାରିନି ବାଦଲ। କୋକସରା ବ୍ଲକର କୋଣ ଅନୁକୋଣ ଆଜି ଶ୍ରୀଜିଉଙ୍କ ମହୋତ୍ସବରେ ଆଧ୍ୟାତ୍ମିକମୟ ହୋଇଉଠିଛି। ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ଘୋଷଯାତ୍ରା ଅତି ଧୁମଧାମରେ ଅନୁଷ୍ଠିତ ହୋଇଯାଇଥିବା ବେଳେ ଲଡୁଗାଁରେ ଦେଖିବାକୁ ମିଳିଛି ଏକ ନିଆରା ଓ ଆକର୍ଷଣୀୟ ଦୃଶ୍ୟ।

ଏଠାରେ ଏକ ସୁସଜ୍ଜିତ ‘କୁନି ରଥ’ରେ ବିରାଜମାନ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଜଗତର ନାଥ ଜଗନ୍ନାଥ। ଲଡୁଗାଁରେ ବ୍ଲକ ଅଧ୍ୟକ୍ଷାଙ୍କ ବାସଭବନରୁ ଶାସ୍ତ୍ରୀୟ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୂଢ଼ କରାଯାଇଥିଲା। ଏହାପରେ ଏହି କୁନି ରଥ ସାରା ଲଡୁଗାଁ ସହର ପରିକ୍ରମା କରିଥିଲା। ବାଟସାରା ପ୍ରଭୁଙ୍କୁ ଗୋଟିଏ ନଜର ଦେଖିବା ପାଇଁ ଏବଂ କୁନି ରଥର ରଶି ଟିକିଏ ଛୁଇଁବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।

ରଥଟଣା ସମୟରେ ପରିବେଶ ଅତ୍ୟନ୍ତ ଭାବଗମ୍ଭୀର ଓ ଭକ୍ତିମୟ ହୋଇଉଠିଥିଲା। ଘଣ୍ଟ, ଶଙ୍ଖ, ଓ ପାରମ୍ପରିକ ସଂକୀର୍ତ୍ତନ ଦଳର ହରିନାମ ସଂକୀର୍ତ୍ତନରେ ସାରା ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ଭକ୍ତଙ୍କ ଗହଣରେ ଆନନ୍ଦ ଉଲ୍ଲାସର ସହ ଚତୁର୍ଦ୍ଧା ମୁରତି ମାଉସୀ ଘର ଅଭିମୁଖେ ଯାତ୍ରା କରିଛନ୍ତି। ବର୍ଷା ସତ୍ବେ ଭକ୍ତଙ୍କ ଶ୍ରଦ୍ଧା ଆଗରେ ସବୁ ଫିକା ପଡ଼ିଥିଲା। କାଳିଆ ଦର୍ଶନ ପାଇଁ ଲୋକଙ୍କ ମଧ୍ୟରେ ଅଦ୍ଭୁତ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ବର୍ଷା ଭିଜା ରାସ୍ତାରେ ଫିଟିଲା ଭକ୍ତିର ପଥ।

କୋକସରା ବ୍ଲକ ସଦରମ ହକୁମା ସମେତ ବ୍ଳକର ବଡ଼ପୋଡାଗୁଡା, ଆମପାଣି, ସିଉନୀ, କାଉଡୋଲା, ଗୋତମୁଣ୍ଡା, ଲଡୁଗାଁ, ଟେମରା, ମୋଟେର, ତୁନଗାଁ, ଡଙ୍ଗରୀଗୁଡା, ଛିଲିପାମାଲ, କେନ୍ଦୁଡଙ୍ଗରୀ, କାଶୀବାହାଲ ଆଦି ସ୍ଥାନରେ ମହାପ୍ରଭୂଙ୍କ ଘୋଷଯାତ୍ରା ପାଳିତ ହୋଇଛି। ପ୍ରତ୍ୟେକଟି ସ୍ଥାନରେ ସ୍ଥାନୀୟ ରଥଯାତ୍ରା ପରିଚାଳନା କମିଟି ଓ ପୁଲିସ ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା, ଯାହାଫଳରେ ଶ୍ରଦ୍ଧାଳୁମାନେ ଶାନ୍ତିପୂର୍ଣ୍ଣ ଭାବେ ଶ୍ରୀଜିଉଙ୍କ ଦର୍ଶନ କରିବାର ସୁଯୋଗ ପାଇଥିଲେ।

Leave a Reply

Your email address will not be published. Required fields are marked *