ଢେଙ୍କାନାଳ/କ୍ରାନ୍ତିକ୍ଷେତ୍ର : ବଡ଼ଠାକୁରଙ୍କ ଲୀଳା ଅପାର। ତାଙ୍କ ଟାଣରେ ବୟସ ବାଧା ସାଜେନାହିଁ। ଏମିତି ଏକ ଆଧ୍ୟାତ୍ମିକ ଓ ଆବେଗପୂର୍ଣ୍ଣ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ସହରର କଲଟେକ୍ସ ଛକ ଅଞ୍ଚଳରେ। ଯେଉଁଠି ପୁରୀ ଯାଇ ବଡ଼ଦାଣ୍ଡରେ ରଥଟଣା ଦେଖିବାର ସୁଯୋଗ ପାଇନଥିବା ଦୁଇଜଣ କୁନି ଭକ୍ତ ନିଜେ କାରିଗର ସାଜି ଏକ କୁନି ରଥ ତିଆରି କରିଛନ୍ତି ଏବଂ ତାହାକୁ ବଡ଼ ଆନନ୍ଦ ସହକାରେ ଟାଣିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ରଥଯାତ୍ରା ଦେଖିବା ପାଇଁ ପୁରୀ ଯିବାକୁ ଏହି ଦୁଇ କୁନି ଜଗନ୍ନାଥ ପ୍ରେମୀ ବେଶ୍ ଆଶା ରଖିଥିଲେ। ମାତ୍ର କୌଣସି କାରଣବଶତଃ ସେମାନେ ଯାଇପାରି ନଥିଲେ। କିନ୍ତୁ କାଳିଆ ସାଆନ୍ତଙ୍କ ପ୍ରତି ଥିବା ନିଷ୍ଠାପର ଭକ୍ତି ସେମାନଙ୍କୁ ନିରାଶ କରିବାକୁ ଦେଇନଥିଲା। ପୁରୀ ଯାଇ ନ ପାରିଲେ ମଧ୍ୟ ନିଜ ଅଞ୍ଚଳରେ ପ୍ରଭୁଙ୍କୁ ରଥରେ ବିଜେ କରାଇବା ପାଇଁ ସେମାନେ ମନସ୍ଥ କରିଥିଲେ। ଏଥିପାଇଁ ଗତ କିଛି ଦିନ ହେବ ଦୁହେଁ ମିଶି ବେଶ୍ ପରିଶ୍ରମ କରି ଏହି କୁନି ରଥଟିକୁ ନିଜ ହାତରେ ତିଆରି କରିଥିଲେ। କୁନି ପିଲାଙ୍କର ଏଭଳି ଅଭିନବ ଉଦ୍ୟମ ଓ ଜଗନ୍ନାଥ ପ୍ରୀତି ଦେଖି ସ୍ଥାନୀୟ କିଛି ଶ୍ରଦ୍ଧାଳୁ ମଧ୍ୟ ସାହାଯ୍ୟର ହାତ ବଢ଼ାଇଥିଲେ। ଶେଷରେ ସେହି କୁନି ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବିଜେ କରାଇ ପାରମ୍ପରିକ ରୀତିରେ ଧୁମଧାମରେ ରଥଯାତ୍ରା କରାଯାଇଛି। ସ୍ଥାନୀୟ ଅଞ୍ଚଳରେ କୁନି ପିଲାଙ୍କର ଏହି ଭକ୍ତିଭରା ପ୍ରୟାସ ଏବେ ସଭିଙ୍କ ମନ ଜିଣିଥିବା ବେଳେ ଚର୍ଚ୍ଚାର ବିଷୟ ପାଲଟିଛି।
