ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର : ଜୁନାଗଡ଼ ଅଞ୍ଚଳର ସାମଗ୍ରିକ ବିକାଶ ଓ ବିଭିନ୍ନ ଜନସମସ୍ୟାର ସମାଧାନ ନେଇ ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଜୁନାଗଡ଼ର ପୂର୍ବତନ ନଗରପାଳ ତଥା କଳାହାଣ୍ଡି ଜିଲ୍ଲା ବିଜେପି ଉପସଭାପତି ମୁକେଶ ଅଗ୍ରୱାଲ। ଏହି ସାକ୍ଷାତକାର ସମୟରେ ସେ ଜୁନାଗଡ଼ ଅଞ୍ଚଳର ପ୍ରଗତି ପାଇଁ ଏକ ଦାବିପତ୍ର ଉପସ୍ଥାପନ କରିବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଶେଷ କରି ଜୁନାଗଡ଼ ଅଞ୍ଚଳରେ ନୂତନ ଶିଳ୍ପ ପ୍ରତିଷ୍ଠା କରିବା ସହ ସହରର ପାନୀୟ ଜଳ ଯୋଗାଣ, ରାସ୍ତାଘାଟର ଉନ୍ନତିକରଣ, ଡ୍ରେନେଜ୍ ବ୍ୟବସ୍ଥାର ସୁଧାର, ସ୍ୱଚ୍ଛତା ଏବଂ ଭିତ୍ତିଭୂମିର ବିକାଶ ପରି ଅନେକ ଜନହିତକର କାର୍ଯ୍ୟ ପାଇଁ ସରକାରୀ ସହଯୋଗ ଯୋଗାଇ ଦେବାକୁ ଶ୍ରୀଅଗ୍ରୱାଲ ଅନୁରୋଧ କରିଥିଲେ। ଜୁନାଗଡ଼ ସହରର ସୌନ୍ଦର୍ଯ୍ୟକରଣ ଓ ଜନସାଧାରଣଙ୍କ ମୌଳିକ ସୁବିଧା ସୁଯୋଗକୁ ପ୍ରାଥମିକତା ଦେବାକୁ ସେ ଆଲୋଚନା ବେଳେ ପ୍ରକାଶ କରିଥିଲେ। ମନ୍ତ୍ରୀ ଶ୍ରୀସ୍ୱାଇଁ ଏହି ସମସ୍ତ ପ୍ରସଙ୍ଗକୁ ଅତ୍ୟନ୍ତ ଗୁରୁତ୍ୱର ସହ ଶୁଣିବା ସହିତ, ଜୁନାଗଡ଼ ଅଞ୍ଚଳର ଏହିସବୁ ସମସ୍ୟାର ସମାଧାନ ଦିଗରେ ଖୁବ୍ଶୀଘ୍ର ସକାରାତ୍ମକ ଓ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଦୃଢ଼ ଆଶ୍ୱାସନା ଦେଇଛନ୍ତି। ଶ୍ରୀଅଗ୍ରୱାଲଙ୍କ ଏହି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳବାସୀ ଏବଂ ବୁଦ୍ଧିଜୀବୀ ମହଲରେ ବେଶ୍ ପ୍ରଶଂସା କରାଯିବା ସହ ଜୁନାଗଡ଼ର ବିକାଶ ଦିଗରେ ଏହା ଏକ ଶୁଭ ସଂକେତ ବୋଲି ମତପ୍ରକାଶ ପାଇଛି।

