ନିଟ ପରୀକ୍ଷାରେ କୃତ କାର୍ଯ୍ୟ ହେଲେ ବଲାଗାଁର କ୍ଷୀରୋଦ କାଣ୍ଡ

କଲମପୁର/କ୍ରାନ୍ତି କ୍ଷେତ୍ର (ଗଣେଶ ରାମ ବାଗ) : ଦୃଢ଼ ଇଚ୍ଛାଶକ୍ତି, କଠିଣ ପରିଶ୍ରମ ଥିଲେ ସଫଳତା ନିଶ୍ଚିତ ମିଳେ , ଏହାକୁ ପ୍ରମାଣିତ କରିଛନ୍ତି କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ବଲାଗାଁର ଛାତ୍ର କ୍ଷୀରୋଦ କାଣ୍ଡ । ନିଟ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି କ୍ଷୀରୋଦ ନିଜ ପରିବାର ତଥା ଗାଁ ଓ ନିଜ ଜିଲ୍ଲା କଳାହାଣ୍ଡିର ନାମ ରୋଶନ କରିଛନ୍ତି । ପ୍ରକାଶ ଯେ, ବଲାଗାଁର ତ୍ରିନାଥ କାଣ୍ଡଙ୍କ ପୁଅ କ୍ଷୀରୋଦ କାଣ୍ଡ ନିଟ ପରୀକ୍ଷାରେ ୫୭୮ ମାର୍କ ହାସଲ କରି ପ୍ରାୟ ୧୮ ହଜାର ରାଙ୍କରେ ରଖିଛନ୍ତି। ଭୁବନେଶ୍ୱରସ୍ଥିତ ବିଦ୍ୟାପୀଠ କଲେଜରେ ଅଧ୍ୟୟନ କରୁଥିବା କ୍ଷୀରୋଦ ନିଜ ଲକ୍ଷ୍ୟ ପ୍ରତି ଦୃଢ଼ ରଖି ଦିନରାତି   ପରିଶ୍ରମ କରି ନିଟ ପରୀକ୍ଷା ପାଇଁ ପ୍ରସ୍ତୁତି ହେଇଥିଲେ। ତାଙ୍କ ନିରନ୍ତର ପରିଶ୍ରମ ଓ ଅଧ୍ୟବସାୟର ଫଳ ସ୍ୱରୂପ ଏହି ସଫଳତା ମିଳିଛି। କ୍ଷୀରୋଦଙ୍କ ଏହି ସଫଳତାରେ ତାଙ୍କ ବାପା ତ୍ରିନାଥ କାଣ୍ଡ ଓ ମାଁ ସପୁର କାଣ୍ଡ ସମେତ ପରିବାରବର୍ଗ ଅତ୍ୟନ୍ତ ଖୁସି ପ୍ରକାଶ କରିଛନ୍ତି। ପୁଅର ସଫଳତା ତାଙ୍କ ପରିବାର ପାଇଁ ଗର୍ବର ବିଷୟ ହୋଇଥିବା ବେଳେ ବଲାଗାଁ ତଥା ଅଞ୍ଚଳବାସୀ ମଧ୍ୟ ଏହି ସଫଳତାକୁ ନେଇ ଗର୍ବିତ ହୋଇଛନ୍ତି। କ୍ଷୀରୋଦଙ୍କ ଏହି ସଫଳତା ଅଞ୍ଚଳର ଅନ୍ୟ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଅଧ୍ୟୟନ ପ୍ରତି ଉତ୍ସାହିତ କରିବ ବୋଲି ମତ ପ୍ରକାଶ ପାଇଛି। କ୍ଷୀରୋଦଙ୍କ ସଫଳତା ଖବର ପ୍ରଚାର ପରେ ସମଗ୍ର କଲମପୁର ଅଞ୍ଚଳରେ ଖୁସିର ମାହୋଲ ସୃଷ୍ଟି ହୋଇଛି। ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିବା ସହ ଆଗାମୀ ଦିନରେ ସେ ଆହୁରି ବଡ଼ ସଫଳତା ହାସଲ କରନ୍ତୁ ବୋଲି ଅଞ୍ଚଳବାସୀ ଶୁଭକାମନା ଜଣାଇଛନ୍ତି।