ଝାରସୁଗୁଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ଜେନା) : ଝାରସୁଗୁଡା ଜିଲ୍ଲା କୋର୍ଟକୁ ଇ-ମେଲ ମାଧ୍ୟମରେ ବୋମା ଧମକ ମିଳିଥିବା ସୂଚନା ପରେ ସମଗ୍ର କୋର୍ଟ ପରିସରରେ ହଡ଼କମ୍ପ ସୃଷ୍ଟି ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଝାରସୁଗୁଡା ବାର ଆସୋସିଏସନ ପକ୍ଷରୁ ଆଇନଜୀବୀ, ମହକିଲ ଏବଂ ସାଧାରଣ ଲୋକଙ୍କୁ ତୁରନ୍ତ କୋର୍ଟ ପରିସର ଖାଲି କରିବାକୁ ଅନୁରୋଧ କରାଯାଇଛି। ଘଟଣାର ସୂଚନା ମିଳିବା ପରେ ଝାରସୁଗୁଡା ପୋଲିସ, ବମ୍ ସ୍କ୍ୱାଡ୍ ଓ ଅନ୍ୟାନ୍ୟ ସୁରକ୍ଷା ସଂସ୍ଥାର ଟିମ୍ ଘଟଣାସ୍ଥଳରେ ପହଞ୍ଚି ସମଗ୍ର କୋର୍ଟ ପରିସରରେ ଖାନ ତଲାସି ଅଭିଯାନ ଆରମ୍ଭ କରିଛନ୍ତି। କୋର୍ଟ ପରିସରର ପ୍ରତ୍ୟେକ ସ୍ଥାନକୁ ଯାଞ୍ଚ କରାଯାଉଥିବା ବେଳେ କୌଣସି ସନ୍ଦେହଜନକ ବସ୍ତୁ ରହିଛି କି ନାହିଁ, ସେନେଇ ତଦନ୍ତ ଚାଲିଛି। ସେପଟେ, ଧମକପୂର୍ଣ୍ଣ ଇ-ମେଲର ଉତ୍ସ ଚିହ୍ନଟ କରିବା ପାଇଁ ସାଇବର ଟିମ୍ ମଧ୍ୟ ତଦନ୍ତ ଆରମ୍ଭ କରିଛି। ଇ-ମେଲଟି କେଉଁଠାରୁ ପଠାଯାଇଛି ଏବଂ ଏହା ପଛରେ କାହାର ସମ୍ପୃକ୍ତି ରହିଛି, ତାହା ଜାଣିବାକୁ ପ୍ରୟାସ ଜାରି ରହିଛି। ପ୍ରାଥମିକ ତଲାସିରେ ଏପର୍ଯ୍ୟନ୍ତ କୌଣସି ବିସ୍ଫୋରକ ସାମଗ୍ରୀ ମିଳିନଥିବା ସୂଚନା ରହିଛି। ତଥାପି ସତର୍କତାମୂଳକ ପଦକ୍ଷେପ ଭାବେ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୋଲିସ ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଥିବା ବେଳେ ତଲାସି ଅଭିଯାନ ସମ୍ପୂର୍ଣ୍ଣ ହେବା ପରେ ଘଟଣା ସମ୍ପର୍କରେ ଅଧିକ ସ୍ପଷ୍ଟ ସୂଚନା ମିଳିବ ବୋଲି ଆଶା କରାଯାଉଛି ।

