ଐତିହାସିକ ବିଦ୍ୟାଳୟ ନୂଆ ରୂପରେ ହେଲା ଉଦ୍ଘାଟନ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : କେସିଙ୍ଗା ସହର ତଥା ଅଞ୍ଚଳର ପ୍ରଥମ ପ୍ରାଥମିକ ବିଦ୍ୟାଳୟ ଭାବେ ଗୌରବ ବହନ କରିଥିବା ସ୍ଥାନୀୟ ପୋଷ୍ଟ ଅଫିସ ପାର୍ଶ୍ଵସ୍ଥ ‘ସେଣ୍ଟର୍ ପ୍ରାଥମିକ ବିଦ୍ୟାଳୟ’ର ନବକଳେବର ପରେ ଏହାର ଭବ୍ୟ ଉଦ୍ଘାଟନ ହୋଇଯାଇଛି। ଭାରତ ସ୍ଵାଧୀନତାର ୨୮ ବର୍ଷ ପୂର୍ବେ ଅର୍ଥାତ୍ ୧୯୧୯ ମସିହାରେ ସ୍ଥାପିତ ହୋଇ କେସିଙ୍ଗା ଇତିହାସରେ ଏକ ସ୍ଵତନ୍ତ୍ର ସ୍ଥାନ ଅର୍ଜନ କରିଥିବା ଏହି ଶିକ୍ଷାନୁଷ୍ଠାନଟି ଦୀର୍ଘ ଦିନ ଧରି ଜର୍ଜରିତ ଅବସ୍ଥାରେ ରହିଥିଲା। ବର୍ତ୍ତମାନ ପ୍ରାୟ ୭୨ ଲକ୍ଷ ଟଙ୍କା ବ୍ୟୟରେ ବିଦ୍ୟାଳୟର ନୂତନ କୋଠା ନିର୍ମାଣ କରାଯିବା ସହ ଅତି ସୁନ୍ଦର ଭାବେ ଏହାର ଭିତ୍ତିଭୂମିର ବିକାଶ କରାଯାଇଛି। ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ସ୍ଵତନ୍ତ୍ର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ  କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହାର ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ରମାକାନ୍ତ କ୍ଷେତ୍ରି, କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜନ୍ମେଜୟ ସ୍ୱାଇଁ, କେସିଙ୍ଗା ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ ଏବଂ କେସିଙ୍ଗା ନଗରପାଲ ନୃପରାଜ ଯାଦବ ପ୍ରମୁଖ ମଞ୍ଚାସୀନ ଥିଲେ। ମଞ୍ଚାସୀନ ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ସ୍କୁଲର ଶତାବ୍ଦୀ ପୁରାତନ ଗୌରବମୟ ଇତିହାସ ଏବଂ କେସିଙ୍ଗା ଅଞ୍ଚଳରେ ଶିକ୍ଷାର ପ୍ରସାର କ୍ଷେତ୍ରରେ ଏହି ବିଦ୍ୟାଳୟର ଅବଦାନ ବିଷୟରେ ଆଲୋକପାତ କରିଥିଲେ। ସୂଚନାଯୋଗ୍ୟ ଯେ, ଏହି ଐତିହାସିକ ବିଦ୍ୟାଳୟର ପୁନରୁଦ୍ଧାର ପାଇଁ ସିଟିଜନ ଫୋରମ୍ ପକ୍ଷରୁ ଦୀର୍ଘ ଦିନ ହେବ ଦାବୀ ଓ ପ୍ରଚେଷ୍ଟା ଜାରି ରହିଥିଲା। ଏହି ନବକଳେବରକୁ ସମ୍ଭବ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସିଟିଜନ ଫୋରମ୍ ର ସଭାପତି ତଥା ଉକ୍ତ ବିଦ୍ୟାଳୟର ପୁରାତନ ଛାତ୍ର ଡାକ୍ତର ହେମସାଗର ସାହା ଏବଂ ଶିକ୍ଷାବିତ୍ ଭି. ଚନ୍ଦ୍ରଶେଖର ଆଚାରୀଙ୍କ ସମେତ କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରା, ବିଜେପି ଟାଉନ ସଭାପତି ପିଂକୁ ପରିଡ଼ା, ପୂର୍ବତନ ସଭାପତି ମଗନ ସିନ୍ଦୂର, ପ୍ରଶାନ୍ତ ବାନାର୍ଜୀ, ବଂଶିପାଣି ସାହା, ବିର୍ଧୀ ଜୈନ, ଅରୁଣ ଅଗ୍ରୱାଲ, ପ୍ରୀତେଶ ପଟେଲ, ଧରଣୀ ନାଏକ ଏବଂ ବିମଳ ବାଗ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ସ୍ଥାନୀୟ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ବିଦ୍ୟାଳୟର ଏହି ଆଧୁନିକ ରୂପାନ୍ତରଣ ପାଇଁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

Leave a Reply

Your email address will not be published. Required fields are marked *