ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ: ବଳାଗାଁର କ୍ଷୀରୋଦଙ୍କୁ ଯାଦବ ସମାଜ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା

କଳମପୁର/କ୍ରାନ୍ତିକ୍ଷେତ୍ର (ଗଣେଶ ରାମ ବାଗ) : କଳାହାଣ୍ଡି ଜିଲ୍ଲା କଳମପୁର ବ୍ଲକ କୋଟାଗାଁ ପଞ୍ଚାୟତ ବଳାଗାଁର ମେଧାବୀ ଛାତ୍ର କ୍ଷୀରୋଦ କାଣ୍ଡ ଜାତୀୟ ସ୍ତରୀୟ ‘ନିଟ୍‌’ (NEET) ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। କ୍ଷୀରୋଦଙ୍କ ଏହି ସଫଳତା ଯାଦବ ସମ୍ପ୍ରଦାୟ ତଥା ସ୍ଥାନୀୟ ଅଞ୍ଚଳକୁ ବେଶ୍ ଉତ୍ସାହିତ କରିଛି। ଏହି ଉପଲକ୍ଷେ ରବିବାର ପୂର୍ବାହ୍ନ ସାଢ଼େ ୧୧ଟାରେ ବଳାଗାଁଠାରେ କଳମପୁର ବ୍ଲକ ଯାଦବ ସମାଜ ପକ୍ଷରୁ ଏକ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଉତ୍ସବରେ ସମାଜର କର୍ମକର୍ତ୍ତା ଓ ଅତିଥିମାନେ କ୍ଷୀରୋଦଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ (ଉପଢ଼ୌକନ) ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଆଗାମୀ ଦିନରେ ସେ ଜଣେ ଦକ୍ଷ ଡାକ୍ତର ହୋଇ ସମାଜ ଓ ଦେଶର ସେବା କରିବେ ବୋଲି ଅତିଥିମାନେ ଆଶା ପ୍ରକଟ କରିଛନ୍ତି। କ୍ଷୀରୋଦଙ୍କ ଏହି କୃତିତ୍ୱ ପାଇଁ ସ୍ଥାନୀୟ ଅଞ୍ଚଳରେ ଏବେ ଖୁସିର ଲହରୀ ଖେଳିଯାଇଛି। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯାଦବ ସମାଜର ଜିଲ୍ଲା ସାଧାରଣ ସମ୍ପାଦକ କମଳ ବାଗ, କଳମପୁର ବ୍ଲକ ସଭାପତି କୃଷ୍ଣସିଂ ଲହଜଲ, ଉପସଭାପତି ତଥା ପୂର୍ବତନ ସରପଞ୍ଚ ନରେନ୍ଦ୍ର ବାଗ, ସମ୍ପାଦକ ପ୍ରଶାନ୍ତ କଙ୍କରିଆ, କୋଷାଧ୍ୟକ୍ଷ ତ୍ରିନାଥ କାଣ୍ଡ, ସହ-ସମ୍ପାଦକ ଡମ୍ବରୁଧର ନାଗ, ଯୁବ ଯାଦବ ସଭାପତି ଗଣେଶ ବାଗ, ମୀନଗୁର ଆଞ୍ଚଳିକ କୋଷାଧ୍ୟକ୍ଷ ଗୋପାଳ ବଗର୍ତ୍ତି ଏବଂ ପୂର୍ବତନ ବ୍ଲକ ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ବାଗ ପ୍ରମୁଖ ଉପସ୍ଥିତ ରହି ଛାତ୍ରଙ୍କୁ ଉତ୍ସାହିତ କରିଥିଲେ। ଶେଷରେ ଜିଲ୍ଲା ସାଧାରଣ ସମ୍ପାଦକ କମଳ ବାଗ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *