ତଲାଗାଁରେ ବାଆଦୀ ଠାକୁରଙ୍କ ଗୁଣ୍ଡିଚା ମଣ୍ଡେଇ

କୋକସରା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡପୋଡାଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତଲାଗାଁଠାରେ ଆରାଧ୍ୟ ଦେବତା ପ୍ରଭୁ ବାଆଦୀ ଠାକୁରଙ୍କ ପ୍ରସିଦ୍ଧ ଗୁଣ୍ଡିଚା ମଣ୍ଡେଇ ଯାତ୍ରା ପାରମ୍ପରିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି। ରବିବାର ସକାଳୁ ପ୍ରଭୁ ବାଆଦୀ ଠାକୁରଙ୍କ ମନ୍ଦିରରେ ବିଧି ମୁତାବକ ସ୍ଵତନ୍ତ୍ର ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ସନ୍ଧ୍ୟା ସମୟରେ ପରିବେଶ ଅଧିକ ଆଧ୍ୟାତ୍ମିକ ଓ ଭକ୍ତିମୟ ହୋଇଉଠିଥିଲା, ଯେତେବେଳେ ଦେବାଦେବୀଙ୍କ ପାରମ୍ପରିକ ଲାଠି ଓ କାଳିସୀମାନଙ୍କ ଶୋଭାଯାତ୍ରା ମା’ ମାଉଲୀଙ୍କ ମନ୍ଦିର ଅଭିମୁଖେ ବାହାରିଥିଲା। ମା’ ମାଉଲୀ ଦେବୀଙ୍କ ମନ୍ଦିର ପ୍ରାଙ୍ଗଣରେ ଶୋଭାଯାତ୍ରା ପହଞ୍ଚିବା ପରେ ସେଠାରେ ଏକ ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଦେବାଦେବୀଙ୍କ କାଳିଶୀମାନେ ଭକ୍ତଙ୍କ ଗହଣରେ କଣ୍ଟା ଦୋଲିରେ ଝୁଲି ଦର୍ଶନ ଦେଇଥିଲେ। ଆଖପାଖ ଅଞ୍ଚଳରୁ ଆସିଥିବା ସହସ୍ରାଧିକ ଶ୍ରଦ୍ଧାଳୁ ଦେବାଦେବୀଙ୍କ ପାଖରେ ଭୋଗରାଗ ଅର୍ପଣ କରିବା ସହ ନିଜର ଓ ପରିବାରର ସୁଖ-ସମୃଦ୍ଧି ଏବଂ ମଙ୍ଗଳ କାମନା କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ସମସ୍ତ ପୂଜାକାର୍ଯ୍ୟକୁ ମୁଖ୍ୟ ପୂଜକ ବଲଭଦ୍ର ପୁଝାରୀ ଏବଂ ପୁଝାରୀ ଅଭିମନ୍ୟୁ ପୁଝାରୀ ଓ ଚମାର ପୁଝାରୀ ଏବଂ ଶିରା ସପୁର ସିଂ ନାଗ, ଅମର ରାଉତ, ଚନ୍ଦ୍ର ଭାଟି, ଦାମୁଧର ରାଉତ, ତୁଲାରାମ ଧଙ୍ଗଡାମାଝୀ ପ୍ରମୁଖ ସୂଚାରୁରୂପେ ସମ୍ପାଦନ କରିଥିଲେ। ଯାତ୍ରାକୁ ଶୃଙ୍ଖଳିତ କରିବାରେ ବାଆଦୀ ପୂଜା କମିଟିର ସଭାପତି ଧର୍ମାନନ୍ଦ ନାଏକ, ଉପସଭାପତି ଭଜମନ ନାଏକ, ଲାଲ ସିଂ ବାଗ, ହରିଶ୍ଚନ୍ଦ୍ର ନାଏକ, ହେମନ୍ତ ସୁନାନୀ, ଜଗଦୀଶ ନାଏକ, ଦେବୀ ସିଂ ନାଏକ, ବିଶ୍ବମ୍ବର କାଣ୍ଡ, ଇଶ୍ୱର କାଣ୍ଡ, ଅମର ନାଏକ, ହେମରାଜ ବିଶି, ଧବଲେ ରାଉତ, ଭବାନୀ ନାଏକ, ଇନ୍ଦ୍ରଜିତ ନାଏକ, ମହେଶ୍ବର ଧଙ୍ଗଡାମାଝୀ, ଅଭିରାମ ପୁଝାରୀ, ଘାସିରାମ ନାଗ ସମେତ ଗ୍ରାମର ପ୍ରମୁଖ ବ୍ୟକ୍ତିବିଶେଷ ଓ ସମସ୍ତ ଗ୍ରାମବାସୀ ସକ୍ରିୟ ଭାବେ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ପାରମ୍ପରିକ ମଣ୍ଡେଇ ଯାତ୍ରା ସମଗ୍ର ଅଞ୍ଚଳରେ ଏକ ଭକ୍ତିପୂତ ମହୋତ୍ସବର ବାତାବରଣ ସୃଷ୍ଟି କରିଥିଲା।

Leave a Reply

Your email address will not be published. Required fields are marked *