ସମାଜବାଦୀ ପାର୍ଟି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ

ଭୁବନେଶ୍ୱର/କ୍ରାନ୍ତିକ୍ଷେତ୍ର : ଭୁବନେଶ୍ୱର ସ୍ଥିତ ସମାଜବାଦୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ରବିବାର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନ୍ୟୁନ ୩୫ ଜଣ ଯୁବ ନେତୃତ୍ୱ ବିଭିନ୍ନ ରାଜନୈତିକ ଦଳରୁ ସମାଜବାଦ ଚିନ୍ତାଧାରାରେ ପ୍ରଭାବିତ ହୋଇ ସମାଜବାଦୀ ପାର୍ଟିର ସଭ୍ୟ ପଦ ଗ୍ରହଣ କରି ଯୋଗଦାନ କରିଛନ୍ତି। ସେମାନଙ୍କୁ ଦଳର ରାଜ୍ୟ ସଭାପତି ଶିବ ହାତୀ ଯାଦବ ସମାଜବାଦୀ ପାର୍ଟିର ଟୋପି ଓ ଉପ ଢୌକନ ଦେଇ ସ୍ୱାଗତ କରିଥିଲେ। ରାଜ୍ୟ ମହାସଚିବ ପ୍ରତାପ କିଶୋର ବାରିକ ମଞ୍ଚ ସଂଯୋଜନା କରିଥିଲେ। ତତ୍ ସଙ୍ଗେ ସଙ୍ଗେ ରାଜ୍ୟ ଲୋହିଆ ବାହିନୀ ମଧ୍ୟ ଗଠନ କରାଯାଇଥିଲା। ଆସନ୍ତା ଅଗଷ୍ଟ ୭ ତାରିଖରେ ମଣ୍ଡଳ କମିଶନ ଦିବସ ପାଳନ ପାଇଁ ବିଭିନ୍ନ ଜାତିଗତ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ମଣ୍ଡଳ ଦିବସକୁ ସୁଚାରୁ ରୁପେ ପାଳନ କରିବା ପାଇଁ ବରିଷ୍ଠ ସମାଜବାଦ ନେତା ପଞ୍ଚାନନ ପ୍ରଧାନଙ୍କୁ ଆବାହକ ଭାବରେ ଦାୟିତ୍ୱ ନ୍ୟସ୍ତ କରାଯିବା ସହ ତାଙ୍କୁ ସହାୟତା କରିବା ପାଇଁ ପ୍ରତାପ କିଶୋର ବାରିକଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଥିଲା। ଉକ୍ତ ପ୍ରସ୍ତୁତି ବୈଠକ ଶେଷରେ ଏକ ସାମ୍ବାଦିକ ସମ୍ମିଳନୀକୁ ଉଦବୋଧନ ଦେଇ ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ଶିବ ହାତୀ ଯାଦବ ଡବଲ ଇଞ୍ଜିନ ତଥା ମୋହନ ସରକାରଙ୍କ ବିଭିନ୍ନ ଯୋଜନା ଓ ଅସଫଳତା ଉପରେ ବର୍ଷିଥିଲେ। ସେ କହିଥିଲେ ଯେ, ଗତ ୧୬ ତାରିଖରେ ଅନୁଷ୍ଠିତ ହୋଇଥିବା ଜଗତର ନାଥ ଜଗନ୍ନାଥଙ୍କର ଘୋଷଯାତ୍ରାରେ ଜଗନ୍ନାଥଙ୍କର ଟାହିଆ ଚୋରି ସରକାରଙ୍କ ଅପାରଗତାକୁ ପଦାରେ ପକାଇ ଦେଇଛି। ଉକ୍ତ ଟାହିଆ ବିଭ୍ରାଟ ପାଇଁ ପ୍ରଶାସନ, ସରକାର ଓ ସେବାୟତମାନଙ୍କର ବିଭ୍ରାନ୍ତିକର ମନ୍ତବ୍ୟ ମଧ୍ୟରେ ତାଳମେଳ ରହୁ ନ ଥିବାରୁ ଏକ ନିରପେକ୍ଷ ତଦନ୍ତ ପାଇଁ ଦାବି କରିଥିଲେ। ରଥଯାତ୍ରାରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଥିବା ୨ ଜଣ ଶ୍ରଦ୍ଧାଳୁଙ୍କ ପାଇଁ ନୀରବ ପ୍ରାର୍ଥନା କରାଯିବା ସହ ତାଙ୍କର ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରାଯାଇଥିଲା ଏବଂ ୨୦୦ ଶହରୁ ଊର୍ଦ୍ଧ୍ବ ଆହତମାନଙ୍କର ଆଶୁଆରୋଗ୍ୟ କାମନା କରାଯାଇଥିଲା।

Leave a Reply

Your email address will not be published. Required fields are marked *