କୋକସରା/କ୍ରାନ୍ତିକ୍ଷେତ୍ର : କାଳୀ କୃଷ୍ଣ ସଂଘର ପ୍ରତିଷ୍ଠାତା ସଦଗୁରୁଦେବ ସତ୍ୟାନନ୍ଦ ସରସ୍ଵତୀ ମହାରାଜଙ୍କ ୮୪ତମ ଜୟନ୍ତୀ ଅବସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୋକସରା ବ୍ଲକ ଆମପାଣି ଶାଖା ପକ୍ଷରୁ କନ୍ଦାଗଡ ସ୍ଥିତ ଆଶ୍ରମ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷା ଓ ସବୁଜିମାର ପ୍ରସାର ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। କାର୍ଯ୍ୟକ୍ରମରେ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼. ହିମାଞ୍ଚଳ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାରା ରୋପଣ କରିବା ସହ ପ୍ରକୃତିର ସୁରକ୍ଷା ପାଇଁ ବୃକ୍ଷରୋପଣର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ଆମପାଣି ଥାନା ଆଇଆଇସି ପ୍ରଶାନ୍ତ କୋଲାହର, ମନୋରଞ୍ଜନ ବଣୁଆ, ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା ଏବଂ କାଳୀକୃଷ୍ଣ ସଂଘର ସଂପାଦକ ମୋହନ ଚରଣ ବିଷି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଚାରାରୋପଣ କରିବା ସହ ଏହାର ସୁରକ୍ଷା ନିମନ୍ତେ ସଂକଳ୍ପ ନେଇଥିଲେ। ଉତ୍ସବର ପ୍ରାରମ୍ଭରେ ସଦଗୁରୁଦେବଙ୍କ ସ୍ମୃତି ଚାରଣ ପୂର୍ବକ ଭଜନ ଓ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ବୃକ୍ଷରୋପଣ ପରେ ଶ୍ରଦ୍ଧାଳୁ ଓ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅନ୍ନ ପ୍ରସାଦ ବିତରଣ କରାଯାଇଥିଲା। କାର୍ଯ୍ୟକ୍ରମକୁ ଜିତେନ୍ଦ୍ର ପଣ୍ଡା ସୁଚାରୁରୂପେ ପରିଚାଳନା କରିଥିବା ବେଳେ ଏହାର ସଫଳତାରେ ନବୀନ ରାଉତ, ଗୋବିନ୍ଦ ମାଝୀ, ଯୁଧିଷ୍ଠିର ମାଝୀ, କୁନୁ ମାଝୀ, ଅଭିନ୍ନ ପୁଝାରୀଙ୍କ ସମେତ ଶାଖା ସଂଘର ସମସ୍ତ ଭାଇ ଓ ଭଉଣୀ ସକ୍ରିୟ ସହଯୋଗ କରିଥିଲେ। ଜୟନ୍ତୀ ଅବସରରେ ସଂଘ ପକ୍ଷରୁ ନିଆଯାଇଥିବା ଏହି ସବୁଜ ଅଭିଯାନ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସିତ ହୋଇଛି।
