ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର : ଦିନେ ବିଜେଡିର ଅଭେଦ୍ୟ ଗଡ଼ ଭାବେ ପରିଚିତ ଜୁନାଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକରେ ଶନିବାର ରାଜନୈତିକ ସମୀକରଣରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ବିଜେଡିର ଦୁଇଜଣ ପ୍ରଭାବଶାଳୀ ଜିଲ୍ଲା ପରିଷଦ ସଭ୍ୟ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦେଇଥିବାରୁ ଅଞ୍ଚଳର ରାଜନୀତି ସରଗରମ ହୋଇଉଠିଛି। ଭୁବନେଶ୍ୱର ସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଗୋଲାମୁଣ୍ଡା ବ୍ଲକ ବିଜେପି ସଭାପତି ବିନ୍ଦୁ ମହାନନ୍ଦଙ୍କ ନେତୃତ୍ୱରେ କେଗାଁ ଜୋନର ଜିଲ୍ଲା ପରିଷଦ ସଭ୍ୟ ଜୟସେନ ସାହୁ ଓ ଦଶପୁର ଜୋନର ଜିଲ୍ଲା ପରିଷଦ ସଭ୍ୟା ସରିତା ମାଝୀ ବିଧିବଦ୍ଧ ଭାବେ ପଦ୍ମ ଶିବିରରେ ସାମିଲ ହୋଇଥିଲେ। ଏହି ଅବସରରେ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ, କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀ, ରାଜ୍ୟସଭା ସାଂସଦ ସୁଜିତ କୁମାର ଏବଂ ଧର୍ମଗଡ଼ ବିଧାୟକ ସୁଧିର ରଞ୍ଜନ ପଟ୍ଟଯୋଶୀ ନୂତନ ସଦସ୍ୟମାନଙ୍କୁ ଦଳକୁ ସ୍ୱାଗତ କରିଥିଲେ। କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଢ଼, ବରିଷ୍ଠ ନେତା ମନୋଜ ମେହେର ଓ ସତ୍ୟରଞ୍ଜନ ବେହେରା , ଗୋଲାମୁଣ୍ଡା ମଣ୍ଡଳ ସଭାପତି ବୈଶାଖୁ କେତକୀ ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଗତ ଜିଲ୍ଲା ପରିଷଦ ନିର୍ବାଚନରେ ଗୋଲାମୁଣ୍ଡା ବ୍ଲକର ତିନୋଟି ଜୋନରେ ବିଜେଡି ବିଜୟୀ ହୋଇ ନିଜର ସଂଗଠନାତ୍ମକ ଦବଦବା ପ୍ରତିଷ୍ଠା କରିଥିଲା। ମାତ୍ର ବର୍ତ୍ତମାନ ସେହି ତିନୋଟି ଜୋନ ମଧ୍ୟରୁ ଦୁଇଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ବିଜେପିରେ ଯୋଗଦାନକୁ ନେଇ ଗୋଲାମୁଣ୍ଡା ବ୍ଲକରେ ବିଜେଡିର ସଂଗଠନ ଉପରେ ଏହାର ପ୍ରଭାବ ପଡ଼ିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ଦଳବଦଳ ପରେ ଗୋଲାମୁଣ୍ଡା ବ୍ଲକରେ ଆଗାମୀ ଦିନର ରାଜନୈତିକ ସମୀକରଣ କିପରି ରହିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।
