ଯୋଗ୍ୟ ହୋଇ ବି ରହିଗଲେ ପଛରେ: ଘର ଭାଙ୍ଗିବା ପରେ ନିଦ ଭାଙ୍ଗିଲା ପ୍ରଶାସନର

କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶ ରାମ ବାଗ) : ବିଗତ ଦୁଇଦିନ ଧରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି। ସୋମବାର କଲମପୁର ଅଞ୍ଚଳରେ ୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ, ଏହାର ପ୍ରଭାବରେ କଲମପୁର ବ୍ଲକ ଅନ୍ତର୍ଗତ ବଡ଼କୁଟ୍ରୁ ପଞ୍ଚାୟତ ସାନକୁଟ୍ରୁ ନଦୀଖଣ୍ଡି ପଡ଼ାର ହେମଲତା ପୂଜାରୀଙ୍କ ମାଟିଘରର କାନ୍ଥ ଓ ଖପର ଭୁସୁଡ଼ି ପଡ଼ିଛି। ପ୍ରକାଶ ଯୋଗ୍ୟ ଯେ, ହେମଲତାଙ୍କ ସ୍ୱାମୀ କିଛି ବର୍ଷ ତଳେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇ ଆଜି ପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ସ୍ୱାମୀଙ୍କ କୌଣସି ଖୋଜଖବର ନଥିବା ବେଳେ, ହେମଲତା ନିଜର ଗୋଟିଏ ପୁଅ ଓ ଗୋଟିଏ ଝିଅଙ୍କୁ ନେଇ ଅତ୍ୟନ୍ତ ଦୁର୍ଦ୍ଦିନରେ ଦିନାତିପାତ କରୁଛନ୍ତି। ଏଭଳି ପରିସ୍ଥିତିରେ ରହୁଥିବା ଘରଟି ଭାଙ୍ଗିଯିବା ଯୋଗୁଁ ପରିବାରଟି ଏବେ ଅସହାୟ ହୋଇପଡ଼ିଛି। ଏହି ଘଟଣା ସମ୍ପର୍କରେ ଜାଣିବା ପରେ ବଡ଼କୁଟ୍ରୁ ପଞ୍ଚାୟତ ସରପଞ୍ଚ ଗଣେଶ ପଣ୍ଡା ତୁରନ୍ତ କଲମପୁର ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଡ଼ିଓଙ୍କ ନିର୍ଦ୍ଦେଶକ୍ରମେ ଏଡ଼ିଓ ବିବେକ ଚିନ୍ଦା ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ତଦନ୍ତ କରିଛନ୍ତି। ପୂର୍ବରୁ ଆବାସ ଗୃହ ପାଇଁ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ମଗାଯିବା ସମୟରେ ପଞ୍ଚାୟତ ପକ୍ଷରୁ ହେମଲତାଙ୍କ ନାମ ସହ ଅନ୍ୟ ୪ ଜଣଙ୍କ ନାମ ସୁପାରିଶ କରାଯାଇଥିଲା। ମାତ୍ର ପଞ୍ଚାୟତକୁ କେବଳ ୨ଟି ଗୃହ ମଞ୍ଜୁର ହୋଇଥିବାରୁ ହେମଲତାଙ୍କ ନାମ ତାଲିକାର ପଛରେ ରହିଯାଇଥିଲା। ଏହି ନିରାଶ୍ରୟ ପରିବାରକୁ ଅନ୍ତ୍ୟୋଦୟ ଯୋଜନାରେ ସାମିଲ କରି ତୁରନ୍ତ ସରକାରୀ ବାସଗୃହ ସହାୟତା ଯୋଗାଇ ଦେବାକୁ ସରପଞ୍ଚ ଶ୍ରୀ ପଣ୍ଡା ଦାବି କରିଛନ୍ତି। ଏ ସମ୍ପର୍କରେ କଲମପୁର ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗୀଙ୍କୁ ପଚାରିବାରୁ ସେ କହିଛନ୍ତି, ‘ରାଜସ୍ୱ ବିଭାଗର ତଦନ୍ତ ରିପୋର୍ଟ ମିଳିବା ପରେ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ଆବଶ୍ୟକୀୟ ତଥ୍ୟ ପଠାଯିବ। ଏହାସହ ସଂପୃକ୍ତ ମହିଳାଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ସାମିଲ କରି ଆବାସ ସହାୟତା ଯୋଗାଇ ଦେବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *