ଉପାର୍ଜନକ୍ଷମ ସ୍ୱାମୀଙ୍କ ଅକାଳ ବିୟୋଗ : ଦୁଃଖଦ ସମୟରେ ଅସହାୟ ପରିବାର ପାଖରେ ଛିଡ଼ା ହେଲେ ବିଜେଡି ନେତୃବୃନ୍ଦ

ବେହେରା/କ୍ରାନ୍ତିକ୍ଷେତ୍ର (ବେହେରା ପଦ୍ମବନ ବେମାଲ) : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍‌ ଅନ୍ତର୍ଗତ ପର୍ଲା ଗ୍ରାମରେ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଯାଇଛି। ଗ୍ରାମର ୪୦ ବର୍ଷୀୟ ହେମନ୍ତ ଗୋପାଳଙ୍କ ଗତ ୨୩ ତାରିଖରେ ଅକାଳ ମୃତ୍ୟୁ ଘଟିଛି। ଦିନମଜୁରିଆ ଭାବେ କାମ କରି ନିଜର ୪ ଜଣିଆ ପରିବାରର ପ୍ରତିପୋଷଣ କରୁଥିବା ହେମନ୍ତଙ୍କ ଆକସ୍ମିକ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତିଙ୍କୁ ହରାଇ ସ୍ତ୍ରୀ ସୁବର୍ଣ୍ଣି ଗୋପାଳ ଏବେ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଛନ୍ତି। ନିଜର ଗୋଟିଏ ପୁଅ ଓ ଗୋଟିଏ ଝିଅଙ୍କ ପ୍ରତିପୋଷଣ ଏବଂ ଭବିଷ୍ୟତର ବୋଝ ଏବେ ସୁବର୍ଣ୍ଣିଙ୍କ କାନ୍ଧକୁ ଚାଲିଆସିଛି, ଯାହାଙ୍କ ପାଇଁ ଦୁଇ ଓଳି ଆହାର ଯୋଗାଡ଼ କରିବା ବି କଷ୍ଟକର ହୋଇପଡ଼ିଛି। ଏହି ଦୁଃଖଦ ଖବର ପାଇବା ପରେ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ଏକ ପ୍ରତିନିଧି ଦଳ ପର୍ଲା ଗ୍ରାମରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ଭେଟି ସାନ୍ତ୍ୱନା ଦେଇଥିଲେ। ଏଥିସହ ପରିବାରର ତୁରନ୍ତ ଚଳିବା ପାଇଁ କିଛି ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥିଲେ। ଏହି ସମୟରେ ଧର୍ମଗଡ଼ ବିଜେଡି ବ୍ଲକ ସଭାପତି ଡାକେଶ୍ୱର ଲହଜଲ, ବ୍ଲକ ସଭାନେତ୍ରୀ ମମତାରାଣୀ ଗୋପାଳ, ରତନ ନାଏକ, ସନ୍ତୋଷ ପାଢ଼ୀ, ଦୟାମାଝି, ସମାଜସେବୀ ପରାଶର ସାହୁ, ସାମ୍ବାଦିକ, ସୁଧିର ଗୋପାଳ ଓ ସୋସିଆ ହାତୀ ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ନେତୃବୃନ୍ଦ ଧର୍ମଗଡ଼ ବିଡିଓଙ୍କୁ ସାକ୍ଷାତ କରି ମୃତ ହେମନ୍ତଙ୍କ ଅସହାୟ ପରିବାରକୁ ତୁରନ୍ତ ବିଭିନ୍ନ ସରକାରୀ ଯୋଜନାରେ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦେବା ପାଇଁ ଆଲୋଚନା କରିଥିଲେ। ସରକାରୀ ସହାୟତା ମିଳିଲେ ଏହି ଶୋକସନ୍ତପ୍ତ ପରିବାରକୁ କିଛିଟା ଆଶ୍ୱାସନା ମିଳିପାରିବ ବୋଲି ଗ୍ରାମବାସୀ ଆଶା ପ୍ରକାଶ କରିଛନ୍ତି।