କେସିଙ୍ଗାରେ ଦେଖିବାକୁ ମିଳିଛି ବନ୍ୟାର ରୌଦ୍ର ରୂପ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ଲଗାଣ ବର୍ଷା ଯୋଗୁଁ ଉଫୁରୁଛି ତେଲ ନଦୀ। ଇନ୍ଦ୍ରାବତୀ ଓ ତିଖାଲି ଡ୍ୟାମ୍‌ରୁ ନିଷ୍କାସିତ ଜଳ ତେଲ ନଦୀରେ ମିଶିବା ପରେ କେସିଙ୍ଗାରେ ଦେଖିବାକୁ ମିଳିଛି ବନ୍ୟାର ରୌଦ୍ର ରୂପ। ତଳି ଅଞ୍ଚଳରେ ପାଣି ପଶିଯିବା ଯୋଗୁଁ ଜନଜୀବନ ସମ୍ପୂର୍ଣ୍ଣ ବ୍ୟାହତ ହୋଇପଡ଼ିଛି। ସେପଟେ ଉଦ୍ଧାର କାର୍ଯ୍ୟ ବେଳେ ଘଟିଛି ଅପ୍ରୀତିକର ଘଟଣା। ପ୍ରବଳ ବର୍ଷା ଯୋଗୁଁ ଇନ୍ଦ୍ରାବତୀ ଓ ତିଖାଲି ଡ୍ୟାମ୍‌ରୁ ଛଡ଼ାଯାଇଥିବା ଜଳ କେସିଙ୍ଗା ଦେଇ ପ୍ରବାହିତ ତେଲ ନଦୀରେ ମିଶିବା ପରେ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଛି। କେସିଙ୍ଗା ତଳି ଅଞ୍ଚଳ ୱାର୍ଡ ନମ୍ବର ୩ର ଅମ୍ବେ ମନ୍ଦିର ପଡ଼ାରେ ଭୋର ସମୟରେ ବନ୍ୟା ପାଣି ପଶିଯାଇଥିଲା, ଯାହାଫଳରେ ପଡ଼ାବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ସମୟରେ ବେଦାନ୍ତ ପମ୍ପ ହାଉସରେ ଫସିରହିଥିବା ଦୁଇ ଜଣ କର୍ମଚାରୀଙ୍କୁ ଉଦ୍ଧାର କରାଯାଉଥିବା ବେଳେ ଏକ ଅଭାବନୀୟ ଘଟଣା ଘଟିଥିଲା। ଜଣେ ଉଦ୍ଧାରକାରୀଙ୍କୁ ସାପ କାମୁଡ଼ି ଦେଇଥିଲା। ତାଙ୍କୁ ତୁରନ୍ତ ସଂକଟାପନ୍ନ ଅବସ୍ଥାରେ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେପଟେ ରେଳ ଅଣ୍ଡର ବ୍ରିଜ୍ ତଳେ ପ୍ରାୟ ୫ ଫୁଟ୍‌ର ବନ୍ୟା ପାଣି ଜମି ରହିବାରୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ଏହାସହ ଜାତୀୟ ରାଜପଥ ୨୬ରେ ପ୍ରାୟ ୧୦ ଘଣ୍ଟା ଧରି ଗାଡ଼ି ମୋଟର ଅଟକି ରହିବା ସହ କେସିଙ୍ଗା ସହରରେ ଏକ ଜଟିଳ ଓ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଅପରପକ୍ଷରେ, କେସିଙ୍ଗା ବ୍ଲକ ବେଲଖଣ୍ଡି ଅଞ୍ଚଳରେ ମଧ୍ୟ ବନ୍ୟା ଯୋଗୁଁ ଅନେକ ସମସ୍ୟା ଉପୁଜିଥିବା ବେଳେ ନିଜେ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ ଉଦ୍ଧାରକାରୀ ଦଳ ସହିତ ବୋଟ୍‌ରେ ବସି ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ ଲୋକଙ୍କ ସମସ୍ୟା ବୁଝିଥିଲେ। କେସିଙ୍ଗା ଏନ୍‌ଏସି ପକ୍ଷରୁ ବନ୍ୟା ପୀଡ଼ିତଙ୍କ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି ଏବଂ ଆଶ୍ରୟ ପାଇଁ ମା’ ଅମ୍ବେ ମନ୍ଦିର ପରିସରରେ ରହିବାର ସୁବିଧା କରାଯାଇଛି।

Leave a Reply

Your email address will not be published. Required fields are marked *