ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ଗୁରୁତର ରୋଗୀ

ମାଲକାନଗିରି/କ୍ରାନ୍ତିକ୍ଷେତ୍ର (ଏନ୍. ରବି କୁମାର) :  ମାଲକାନଗିରି ଜିଲ୍ଲା ସଦର ମହକୁମା ନିକଟସ୍ଥ କେନାଲଗୁଡ଼ା ଗ୍ରାମରେ ରାସ୍ତାର ଶୋଚନୀୟ ଅବସ୍ଥା ପୁଣିଥରେ ପ୍ରଶାସନର ବିକାଶ ଦାବିକୁ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଜି ଗ୍ରାମର ଜଣେ ଅସୁସ୍ଥ ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ପ୍ରାୟ ୮୦୦ମିଟର କାଦୁଅ ଓ ଭଙ୍ଗା ରାସ୍ତାରେ ବୋହି ନେବାକୁ ପଡ଼ିଥିଲା। ସୂଚନା ଅନୁଯାୟୀ, କେନାଲଗୁଡ଼ା ଗ୍ରାମର ଆଡମା କବାସୀ (୪୮) ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତୁରନ୍ତ ‘୧୦୮’ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଆମ୍ବୁଲାନ୍ସ ଠିକ୍ ସମୟରେ ଗ୍ରାମ ନିକଟରେ ପହଞ୍ଚିଥିଲେ ମଧ୍ୟ କାଦୁଅ ଓ ଅତ୍ୟନ୍ତ ଖରାପ ରାସ୍ତା ଯୋଗୁଁ ପ୍ରାୟ ଏକ ୮୦୦ ମିଟର ଦୂରରେ ଅଟକି ଯାଇଥିଲା। ଅନ୍ୟ କୌଣସି ବିକଳ୍ପ ନଥିବାରୁ ଗ୍ରାମବାସୀମାନେ ରୋଗୀଙ୍କୁ କାଦୁଅ ରାସ୍ତା ଦେଇ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଥିଲେ। ସେଠାରୁ ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଗ୍ରାମବାସୀଙ୍କ ଅଭିଯୋଗ, କେନାଲଗୁଡ଼ା ଗ୍ରାମ ପାଇଁ ପକ୍କା ରାସ୍ତା ନିର୍ମାଣ ଦାବି ନେଇ ବାରମ୍ବାର ପ୍ରଶାସନ ଓ ଜନପ୍ରତିନିଧିଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଫଳ ମିଳିନାହିଁ। ଜିଲ୍ଲା ସଦର ନିକଟରେ ଥିବା ଗ୍ରାମର ଯଦି ଏଭଳି ଅବସ୍ଥା, ତେବେ ଦୁର୍ଗମ ଅଞ୍ଚଳର ପରିସ୍ଥିତି କେତେ ଦୟନୀୟ ହୋଇଥିବ ତାହା ସହଜରେ ଅନୁମାନ କରାଯାଇପାରେ ବୋଲି ସେମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *