ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ସୌମ୍ୟ ରଞ୍ଜନ ପାତ୍ର) : ଶ୍ରାବଣ ପୂର୍ଣ୍ଣିମାରେ ପଶ୍ଚିମ ଓଡ଼ିଶାର ସମସ୍ତ ମହିମା ଧର୍ମାବଲମ୍ବୀ ନୂତନ ବର୍ଷର ଉତ୍ପାଦିତ ନୂଆଁ ଧାନକୁ ପ୍ରଭୁଙ୍କୁ ଅର୍ପଣ କରି ନବାନ୍ନ ଭକ୍ଷଣ କରିବାର ବିଧି ରହିଛି। ସେହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ପରବାଙ୍ଗି ସ୍ଥିତ ସତ୍ୟ ମହିମା ଆଶ୍ରମରେ ଆସନ୍ତା ଅଗଷ୍ଟ ୨୭ ତାରିଖ ଗୁରୁବାର ଶ୍ରାବଣ ପୂର୍ଣ୍ଣିମା ଦିନ ନବାନ୍ନ ଭକ୍ଷଣ (ନୂଆଖାଇ) ମହାସମାରୋହରେ ପାଳିତ ହେବ। ଏନେଇ ସୂଚନା ଦେଇଛନ୍ତି ମଠାଧୀଶ ତଥା ବିଶ୍ବ ହିନ୍ଦୁ ପରିଷଦର କେନ୍ଦ୍ରୀୟ ମାର୍ଗର୍ଦଶକ ମଣ୍ଡଳୀ ସଦସ୍ୟ, ଅଖିଳ ଭାରତୀୟ ଧର୍ମ ବିଭାଗର ପ୍ରଚାରକ ସାଧୁ ପ୍ରଭାକର ଦାସ ମହାରାଜ। ମହାରାଜଙ୍କ ସୂଚନା ଅନୁସାରେ ଶ୍ରାବଣ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଅଗଷ୍ଟ ୨୬ ବୁଧବାର ଦିନ ସନ୍ଧ୍ୟାରେ ଅଖଣ୍ଡ ବ୍ରହ୍ମ ଧୂନି ପ୍ରଜ୍ବଳନ ପୂର୍ବକ ଅହୋରାତ୍ର ପ୍ରଭୁଙ୍କ ନାମ ଭଜନ କରାଯିବ। ଗୁରୁବାର ଶ୍ରାବଣ ପୂର୍ଣ୍ଣିମା ବ୍ରହ୍ମ ମୁହୂର୍ତ୍ତରେ ସପ୍ତମୃତ ପଣା ସହ ନବାନ୍ନକୁ ପ୍ରଭୁଙ୍କୁ ଅର୍ପଣ କଲା ପରେ ସକାଳ ୭ ଘଣ୍ଟା ସମୟରେ ସମସ୍ତ ମହିମା ଧର୍ମାବଲମ୍ବୀ ନବାନ୍ନ ଭକ୍ଷଣ କରିବେ। ସତ୍ୟ ସନାତନ ମହିମା ଆଶ୍ରମ ପରବାଙ୍ଗିର ମଠାଧୀଶ ସାଧୁ ପ୍ରଭାକର ଦାସ ଅଖଣ୍ଡ ବ୍ରହ୍ମଧୁନି ପ୍ରଜ୍ବଳନ କରିବା ସହ ସମସ୍ତ ଭକ୍ତ ବୃନ୍ଦଙ୍କୁ ନବାନ୍ନ ଭୋଗ ସ୍ଵହସ୍ତରେ ଅର୍ପଣ କରିବେ। ଏନେଇ ପ୍ରସ୍ତୁତି ଯୋରଦାର ହୋଇଥିବା ମଠ ପକ୍ଷରୁ ସୂଚନା ରହିଛି। ଏହି କାର୍ଯ୍ୟକ୍ରମରେ ସମସ୍ତେ ଯୋଗଦାନ କରିବାକୁ ମଠାଧୀଶ ଅନୁରୋଧ କରିଛନ୍ତି।
