ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ କୁମାର ସେନାପତି) : ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ସରକାରୀ ଉଚ୍ଚ ବିଦ୍ୟାଳୟର ହଷ୍ଟେଲରୁ ସାମ୍ନାକୁ ଆସିଛି ଏଭଳି ଏକ ଗୁରୁତର ଘଟଣା। ଜଣେ ଛାତ୍ର ଓ ତାଙ୍କ କିଛି ସହପାଠୀ ମିଶି ନବମ ଶ୍ରେଣୀର ୨୦ରୁ ଊର୍ଦ୍ଧ୍ୱ ହଷ୍ଟେଲ ଅନ୍ତେବାସୀଙ୍କୁ ବେଟ୍ ଓ ବାଡ଼ିରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘଟଣାଟି ରବିବାର ରାତିରେ ଘଟିଥିବା ବେଳେ, ଏହାର ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ସୂଚନା ଅନୁଯାୟୀ, କିଛି ଛାତ୍ର ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ ଶିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ। ପରେ ଶିକ୍ଷକ ତାଙ୍କୁ ତାଗିଦ କରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ସେ ଓ ତାଙ୍କ କିଛି ସହପାଠୀ ମିଶି ଅନ୍ୟ ଛାତ୍ରମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ହଷ୍ଟେଲରେ ରହୁଥିବା ଛାତ୍ରମାନଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। ଏଭଳି ଘଟଣାରେ ବିଭାଗୀୟ ନିୟମ ଅନୁଯାୟୀ କଣ ପଦକ୍ଷେପ ନିଆଯିବ, ତାହା ଉପରେ ମଧ୍ୟ ନଜର ରହିଛି। ତେବେ ହଷ୍ଟେଲ ପରିଚାଳନା ଦାୟିତ୍ୱରେ ଥିବା ଶିକ୍ଷକ ଡମ୍ବୁରୁଧର ତ୍ରିପାଠୀ କହିଛନ୍ତି, ମାଡ଼ ମାରିଥିବା ଅଭିଯୋଗ ହୋଇଥିବା ସମ୍ପୃକ୍ତ ଛାତ୍ରଙ୍କୁ ଆଜିଠାରୁ ବିଦ୍ୟାଳୟରୁ ବାହାର କରିଦିଆଯାଇଛି। ତାଙ୍କ ବିରୋଧରେ ସ୍ଥାନୀୟ ପୁଲିସ ଥାନାରେ ଲିଖିତ ଅଭିଯୋଗ କରିବାକୁ ମଧ୍ୟ ପଦକ୍ଷେପ ନିଆଯାଉଛି। ଅନ୍ୟପକ୍ଷରେ, ଘଟଣା ସମ୍ପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ ସ୍ଥାନୀୟ ସମାଜ ମଙ୍ଗଳ ଅଧିକାରୀଙ୍କୁ ରିପୋର୍ଟ ତଲବ କରିଛନ୍ତି। ଏହାସହ ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିବା ସେ ପ୍ରକାଶ କରିଛନ୍ତି। ଏବେ ବିଭାଗୀୟ ରିପୋର୍ଟ ଓ ପୁଲିସ ଅଭିଯୋଗ ପରେ ଘଟଣାରେ ଆହୁରି କଣ ପଦକ୍ଷେପ ନିଆଯାଉଛି, ତାହା ଉପରେ ସମସ୍ତଙ୍କ ନଜର।
