ଝୁଲନ୍ତା ଅବସ୍ଥାରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ଝରିଗାଁ/କ୍ରାନ୍ତିକ୍ଷେତ୍ର (ଭୋଦେବ ଗୌଡ଼) : ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅଧୀନ ଚଚା ଗ୍ରାମ ପଞ୍ଚାୟତର ଗବାଗୁଡା ଗ୍ରାମରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଘର ସମ୍ମୁଖରେ ଥିବା ଏକ ଆମ୍ବଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ମୃତ ଛାତ୍ରୀ ହେଲେ ଗବାଗୁଡା ଗ୍ରାମର ସୁନ୍ଦରସିଂ ମେହେରଙ୍କ ଝିଅ ଗିରିଜା ମେହେର। ପରିବାର ସୂଚନା ଅନୁସାରେ, ଗତକାଲି ସେ ଜମିରେ କାମ କରି ଘରକୁ ଫେରିବା ପରେ ରୋଷେଇ କରି ପରିବାର ଲୋକଙ୍କୁ ଖାଇବାକୁ ଦେଇ ଶୋଇବାକୁ ଯାଇଥିଲେ। ଆଜି ସକାଳେ ତାଙ୍କ ମା’ ଅମିତା ମେହେର ଘର ସଫା କରୁଥିବା ବେଳେ ଘର ସମ୍ମୁଖରେ ଥିବା ଆମ୍ବଗଛରେ ଝିଅଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ପରେ ପରିବାର ପକ୍ଷରୁ ଝରିଗାଁ ପୋଲିସକୁ ଖବର ଦିଆଯାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି। ଝରିଗାଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଜବତ ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି। ଘଟଣାର କାରଣ ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଛି। ମୃତ୍ୟୁର ପ୍ରକୃତ କାରଣ ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ତଦନ୍ତ ଅଫିସର୍ ଏ ଏସ ଆଇ ଦିଲ୍ଲୀପ କୁମାର ବାରିକ୍ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *