ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ସରକାର ଗରିବ ଅସହାୟଙ୍କ ପାଇଁ ଯୋଜନା ପରେ ଯୋଜନା ଖଞ୍ଜି ଦେଇଛନ୍ତି କିନ୍ତୁ ଏହି ଯୋଜନାଗୁଡ଼ିକ ପ୍ରକୃତରେ ନିୟମିତ ଭାବେ ହିତାଧିକାରୀଙ୍କ ନିକଟରେ କେତେ ପରିମାଣରେ ପହଞ୍ଚୁଛି କି ନା’ ତାର ଖୋଜଖବର ସରକାର ତଥା ପ୍ରଶାସନଙ୍କ ନିକଟରେ ରହୁ ନଥିବା ଏକ ନଗ୍ନ ଉଦାହାରଣ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଏହି ବ୍ଲକର ସେମଳା ପଂଚାୟତ ଅଧୀନ ଡୁମୁରିପଦର ଗ୍ରାମର ନରସିଂହ ଭତରାଙ୍କ ଶତ ପ୍ରତିଶତ ଦିବ୍ୟାଙ୍ଗ ଥିବା ପୁଅ ଯୁଗେଶ(୧୭)ଙ୍କୁ କୌଣସି କାରଣରୁ ପାଞ୍ଚ ମାସ ହେଲା ୩୫୦୦ ଭତ୍ତା ଟଙ୍କା ଓ ରାସନ ସାମଗ୍ରୀ ମିଳୁନି। ତାଙ୍କ ବାପା ବାରମ୍ବାର ପଂଚାୟତ ଓ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କେହି ତାଙ୍କ ଦୁଃଖ ଶୁଣୁନାହାନ୍ତି ବୋଲି କହିଛନ୍ତି। ଯୁଗେଶଙ୍କୁ ପ୍ରତି ମାସରେ ନିୟମିତ ଭାବେ ରାସନ ଓ ଭତ୍ତା ମିଳୁଥିଲା କିନ୍ତୁ ହଟାତ୍ ୫ମାସର ରାସନ ଓ ଭତ୍ତା ବନ୍ଦ ହେବାରୁ ସେ ଚିନ୍ତାରେ ପଡ଼ିଛନ୍ତି । ପ୍ରତିଦିନ ଦିବ୍ୟାଙ୍ଗଙ୍କ ସବୁ ସେବା କରିବାକୁ ପଡୁଥିବା ବେଳେ ପରିବାରର ଜୀବିକା ଚଳାଇବା ପାଇଁ ତାଙ୍କ ବାପା ଗାଁରେ କାମ ଧନ୍ଦା କରି କଷ୍ଟେମଷ୍ଟେ ପରିବାର ଚଳାଉଛନ୍ତି। ଏପରି ଦୁର୍ଦ୍ଦଶା ସତ୍ତ୍ବେ ଯଦିଓ ସରକାର ଭିନ୍ନକ୍ଷମ ତଥା ଦିବ୍ୟାଙ୍ଗ ଙ୍କ ପାଇଁ ବିଭିନ୍ନ ଯୋଜନା ଘୋଷଣା କରିଛନ୍ତି ତଥାପି ପାଞ୍ଚ ପାଞ୍ଚ ମାସ ହେଲା କିପରି ମିଳୁଥିବା ସରକାରୀ ସୁବିଧା ବନ୍ଦ ରହୁଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ପଂଚାୟତ ଅଧୀନ ଯୋଗାଣ ସହାୟକଙ୍କୁ ଯୋଗାଯୋଗ କରିବାରୁ ଯୋଗେଶଙ୍କ କେୱାଇସି କଟି ଯାଇଛି ଫଳରେ ତାଙ୍କୁ ପିଡିଏସ ରାସନ ମିଳି ପାରୁନାହିଁ । ନୂତନ ଭାବେ ଆବେଦନ କରି କେୱାଇସି କଲେ ନିୟମିତ ଭାବେ ରାସନ ମିଳିବ ବୋଲି ସଫେଇ ଦେଇଥିଲେ। ତା ପରେ ଆମେ ଭତ୍ତା ସମସ୍ୟାକୁ ନେଇ ଗୋଷ୍ଠି ସାମଜିକ ସୁରକ୍ଷା ଅଧିକାରୀ ସୁବ୍ରତ କିଶାନଙ୍କୁ ପଚାରିବାରୁ ଯୁଗେଶଙ୍କ ବ୍ୟାଙ୍କରେ ଏନସିପିଆଇ ସଂଯୋଗ କରିବାକୁ ପଡିବ । ସଂଯୋଗ ହେଲେ ଏକା ଥରକେ ପାଞ୍ଚ ମାସର ଭତ୍ତା ପ୍ରଦାନ କରାଯିବ ବୋଲି କହିଥିଲେ । ପାଞ୍ଚ ମାସ ହେଲା ଜଣେ ଦିବ୍ୟାଙ୍ଗ ଙ୍କୁ ସରକାରୀ ସହାୟତା ମିଳୁନି ଆଉ କିପରି ଗରିବ ଅସହାୟଙ୍କ ପାଇଁ ଉପରେ ବସିଥିବା ଅଧିକାରୀ ମାନେ ତାହାର ସମାଧାନ ପାଇଁ ରାସ୍ତା ଦେଖେଉ ନାହାନ୍ତି । ଏପରି ବିଚିତ୍ର ସରକାରୀ ବିଧିବ୍ୟବସ୍ଥାକୁ ନେଇ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି।
