ଧାନ ପଞ୍ଜିକରଣରୁ ବାଦ୍ ପଡୁ ‘ଆଗ୍ରୀଷ୍ଟାକ’ : ୧୧ ରେ କୋକସରା କୃଷକ ସଂଘର ସ୍ମାରକପତ୍ର ପ୍ରଦାନ ନିଷ୍ପତ୍ତି

କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଳକ ସଦର ମହକୁମା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପଠାରେ କୋକସରା କୃଷକ ସଂଘ ପକ୍ଷରୁ ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ଆବାହନ କ୍ରମେ ଆୟୋଜିତ ଏହି ବୈଠକରେ ଅଞ୍ଚଳର ବହୁ ଚାଷୀ ଯୋଗ ଦେଇଥିଲେ। ବୈଠକଟି ପୁରୁଷୋତ୍ତମ ଦାସ ଗୁପ୍ତାଙ୍କ ସଭାପତିତ୍ବରେ ଆରମ୍ଭ ହୋଇଥିଲା। ସରକାରଙ୍କ ପକ୍ଷରୁ ଖରିଫ ଧାନ ବିକ୍ରି ପାଇଁ ଅଣାଯାଇଥିବା ନୂତନ ଗାଇଡ଼ ଲାଇନ ଏବଂ ‘ଆଗ୍ରୀଷ୍ଟାକ’ ବ୍ୟବସ୍ଥାରେ ପଞ୍ଜିକରଣକୁ ବାଦ୍ ଦେବା ପାଇଁ ବୈଠକରେ ଦାବି ହୋଇଛି। ଚାଷୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୋଇ ସୁରୁଖୁରୁରେ ଧାନ ବିକ୍ରି ନିମନ୍ତେ ପଞ୍ଜିକରଣ କରିପାରିବେ, ସେ ନେଇ ବ୍ୟାପକ ଆଲୋଚନା କରାଯାଇଥିଲା। ସମସ୍ତ ଚାଷୀଙ୍କ ସହମତି ଓ ନିଷ୍ପତି କ୍ରମେ ଆସନ୍ତା ୧୧ ତାରିଖ ମଙ୍ଗଳବାର ଦିନ କୋକସରା ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯିବା ପାଇଁ ସ୍ଥିର ହୋଇଛି। ଏହି ବୈଠକରେ ଚାଷୀ ଜୟଲାଲ ନାଏକ, ତ୍ରିଭୁବନ ନାଏକ, ନବୀନ ନାଏକ, ପଙ୍କଜ ମୁଖ ଚୌଧରୀ, ନିରଞ୍ଜନ ନେଗୀ, ମହେନ୍ଦ୍ର ନେଗୀ, ଶ୍ରୀନିବାସ ପ୍ରଧାନୀ, ଅନିଲ କୁମାର ପ୍ରଧାନୀ, ବାବୁ ସାହୁ, ସୁନୀଲ ପ୍ରଧାନୀ, ଲଲାଟେନ୍ଦୁ ପ୍ରଧାନୀ, ନବୀନ କୁମାର ପାଟ୍ଟଯୋଷୀ, ଗୌତମ ଅଗ୍ରୱାଲ, ବିଷ୍ଣୁ ପ୍ରସାଦ ସାହୁ, ଲିଙ୍ଗରାଜ ନାଏକ,  ମୁକ୍ତେଶ୍ଵର ନାଏକ, ସୁଶାନ୍ତ ବେହେରା, ନୀଳାମ୍ବର ବାରିକ ସମେତ ଶତାଧିକ ଚାଷୀ ଉପସ୍ଥିତ ରହି ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ।

Leave a Reply

Your email address will not be published. Required fields are marked *