କଣ୍ଟାମାଳ/କ୍ରାନ୍ତିକ୍ଷେତ୍ର (ମନଧର କର୍ମୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ-ଘଣ୍ଟାପଡ଼ା ୪୧ ନମ୍ବର ରାଜ୍ୟ ରାସ୍ତାର ମଲିକୁଦ ବ୍ରିଜ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଜଣେ ଆଇଆରବି ଯବାନଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । ମୃତ ଯବାନ ଜଣକ ହେଲେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଧଣ୍ଡାମୁଣ୍ଡା ଗ୍ରାମର ରାଜୁ ଭୋଇ (୩୩) । ସେ ଛତ୍ରପୁର ଆଇଆରବି ବାଟାଲିୟନରେ ଯବାନ ଭାବେ କାର୍ଯ୍ୟରତ ଥିଲେ । ମିଳିଥିବା ସୂଚନା ଅନୁଯାୟୀ, ଆଜି ରାଜୁ କୌଣସି କାମରେ କଣ୍ଟାମାଳ ପଟୁ ଘଣ୍ଟାପଡ଼ା ଆଡ଼କୁ ବାଇକ ଯୋଗେ ଯାଉଥିଲେ । ଏହି ସମୟରେ ମଲିକୁଦ ବ୍ରିଜ ନିକଟରେ ତାଙ୍କ ବାଇକଟି ହଠାତ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ଖବର ପାଇ କଣ୍ଟାମାଳ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଦୁର୍ଘଟଣାଗ୍ରସ୍ତ ବାଇକଟିକୁ ଥାନାକୁ ଆଣିଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି । ଯବାନଙ୍କ ଅକାଳ ବିୟୋଗରେ ତାଙ୍କ ନିଜ ଗ୍ରାମ ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
