ହରଭଙ୍ଗା ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନଅଭିଯୋଗ ଶୁଣାଣି ଶିବିର

କଣ୍ଟାମାଳ/କ୍ରାନ୍ତିକ୍ଷେତ୍ର (ମନଧର କର୍ମୀ) : ଲୋକଙ୍କ ସମସ୍ୟାର ତ୍ୱରିତ ସମାଧାନ ଏବଂ ପ୍ରଶାସନିକ ସେବାକୁ ଅଧିକ ଜନମୁଖୀ କରିବା ଲକ୍ଷ୍ୟରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଭାଗୃହରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଜନଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଶତାଧିକ ଜନସାଧାରଣ ନିଜ ଅଭିଯୋଗ ଉପସ୍ଥାପନ କରିଥିଲେ। ଏହି ଶିବିରରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ-ଜିଲ୍ଲାପାଳ ବିନୟ କୁମାର ଭୋଇ, ଜିଲ୍ଲା ସ୍ୱାସ୍ଥ୍ୟ ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ମହେନ୍ଦ୍ର କୁମାର ସାହୁଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଶୁଣାଣିରେ ସହଯୋଗ କରିଥିଲେ। ମୋଟ ୧୧୬ ଟି ଅଭିଯୋଗ ମଧ୍ୟରୁ ୧୧୨ଟି ବ୍ୟକ୍ତିଗତ ଏବଂ ୦୪ ଟି ଗୋଷ୍ଠୀଗତ ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୨୬ଟି ଅଭିଯୋଗର ସ୍ଥଳରେ ହିଁ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ଅଭିଯୋଗର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବର୍ଷା ଋତୁକୁ ଦୃଷ୍ଟିରେ ରଖି ଭଙ୍ଗା ଘର, ରାସ୍ତା ମରାମତି, ପାନୀୟ ଜଳ ଓ ବିଦ୍ୟୁତ୍ ସେବା ସମ୍ବନ୍ଧୀୟ ଅଭିଯୋଗ ଗୁଡ଼ିକର ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ରେଡକ୍ରସ ପାଣ୍ଠିରୁ ୦୬ ଜଣ ଅସହାୟ ବ୍ୟକ୍ତିଙ୍କୁ ମୋଟ ୨୭ ହଜାର ଟଙ୍କା ତତ୍କାଳୀନ ସହାୟତା ଜିଲ୍ଲାପାଳ ପ୍ରଦାନ କରିଥିଲେ। ଶିବିର ପରିଚାଳନାରେ ହରଭଙ୍ଗା ବି.ଡି.ଓ ତଥା ତହସିଲଦାର କର୍ଣ୍ଣ ସୁନା, ଡେପୁଟି କଲେକ୍ଟର ଜ୍ୟୋତି ରଞ୍ଜନ ଭୁଏ, ବ୍ଲକ୍ ର ସମସ୍ତ ଅଧିକାରୀ ପ୍ରମୁଖ ସହଯୋଗ କରିଥିଲେ। ଶିବିରରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ, ବିଭିନ୍ନ ଲାଇନ ବିଭାଗର ଯନ୍ତ୍ରୀ, ବ୍ଲକ ସ୍ତରୀୟ କର୍ମଚାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *