ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର : ସ୍ଥାନୀୟ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ୍ଠାରେ ଉପଜିଲ୍ଲାପାଳ ମିସ୍ ପ୍ରେକ୍ଷ୍ୟା ଅଗ୍ରୱାଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଧର୍ମଗଡ଼ ଉପଖଣ୍ଡସ୍ତରୀୟ କୁଇଜ୍ ପ୍ରତିଯୋଗିତା ଉତ୍ସାହ ଓ ଉଦ୍ଦୀପନାର ସହ ଆୟୋଜିତ ହୋଇଯାଇଛି। ଏଥିରେ ଧର୍ମଗଡ଼ ଉପଖଣ୍ଡ ଅନ୍ତର୍ଗତ ୬ଟି ବ୍ଲକ୍ ସମେତ ୩ଟି ଏନ୍ଏସିର ପ୍ରତିଯୋଗୀ ଦଳ ଅଂଶଗ୍ରହଣ କରିଥିଲେ। ଜୁନିୟର ବର୍ଗରେ କଳମପୁର ବ୍ଲକ ଦଳ ବିଜେତା ହୋଇଥିବା ବେଳେ ଜୁନାଗଡ଼ ବ୍ଲକ୍ ଦଳ ଉପବିଜେତା ହୋଇଥିଲା। ସେହିପରି ସିନିୟର ବର୍ଗରେ ଜୟପାଟଣା ବ୍ଲକ ଦଳ ବିଜେତା ହୋଇଥିବା ବେଳେ ଧର୍ମଗଡ଼ ଏନ୍ଏସି ର ଦଳ ଉପବିଜେତା ହୋଇଥିଲା। କୋକସରା ତହସିଲଦାର ଚୋଡ଼ଗଙ୍ଗ ପ୍ରଧାନ ଏବଂ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ସୋନମ୍ ଅଗ୍ରୱାଲ କୁଇଜ୍ ମାଷ୍ଟର ଭାବେ ପ୍ରତିଯୋଗିତାକୁ ସୁଚାରୁରୂପେ ପରିଚାଳନା କରିଥିଲେ। ସହାୟକ ଜିଲ୍ଲାପାଳ ଶ୍ରୀକାନ୍ତ ଶତପଥୀ ଏହି କାର୍ଯ୍ୟକ୍ରମର ଆୟୋଜନରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଏଥିସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ଧର୍ମଗଡ଼ ଏନ୍ଏସିର କର୍ମଚାରୀମାନେ କାର୍ଯ୍ୟକ୍ରମର ସଫଳ ଆୟୋଜନ ଓ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ଧର୍ମଗଡ଼ ଉପଖଣ୍ଡରେ ପ୍ରୋଜେକ୍ଟର ମାଧ୍ୟମରେ ଏଭଳି କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯିବା ପ୍ରଥମ ଘଟଣା ହୋଇଥିବାରୁ ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖାଦେଇଥିଲା। ପ୍ରତିଯୋଗିତାକୁ ଉପଭୋଗ କରିବା ଓ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ପାଇଁ ଇଣ୍ଡୋର ଷ୍ଟାଡିୟମ୍ରେ ବହୁ ସଂଖ୍ୟକ ଦର୍ଶକଙ୍କ ସମାଗମ ହୋଇଥିଲା। ପ୍ରତିଯୋଗିତାକୁ ଅଧିକ ଆକର୍ଷଣୀୟ ଓ ରୋଚକ କରିବା ପାଇଁ ଏଥିରେ ବିଭିନ୍ନ ପର୍ଯ୍ୟାୟରେ ପ୍ରଶ୍ନୋତ୍ତର ରାଉଣ୍ଡ, ଅଡିଓ-ଭିଡିଓ ରାଉଣ୍ଡ, ରାପିଡ୍ ଫାୟାର୍ ରାଉଣ୍ଡ ଏବଂ ବଜର୍ ରାଉଣ୍ଡ ଆୟୋଜନ କରାଯାଇଥିଲା। ପ୍ରତ୍ୟେକ ରାଉଣ୍ଡରେ ପ୍ରତିଯୋଗୀମାନେ ନିଜର ଜ୍ଞାନ, ଉପସ୍ଥିତ ବୁଦ୍ଧି ଓ ତ୍ୱରିତ ନିଷ୍ପତ୍ତି କ୍ଷମତାର ପ୍ରଦର୍ଶନ କରିଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜ୍ଞାନ ଆହରଣ ଓ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି କରିବା ସହ ଏକ ସୁସ୍ଥ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ଦିଗରେ ଉପଜିଲ୍ଲାପାଳ ମିସ୍ ପ୍ରେକ୍ଷ୍ୟା ଅଗ୍ରୱାଲଙ୍କ ଏହି ଅଭିନବ ପ୍ରୟାସକୁ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଥିଲେ। ଉକ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ଦଳ ଭବାନୀପାଟଣାଠାରେ ଆୟୋଜିତ ହେବାକୁ ଥିବା *ଜିଲ୍ଲାସ୍ତରୀୟ କୁଇଜ୍ ପ୍ରତିଯୋଗିତା*ରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।
