ଆକ୍ରମଣ ପରେ ଯୁବକଙ୍କ ମୃତ୍ୟୁ : ହତ୍ୟା ଅଭିଯୋଗ, ଥାନାରେ ଦୁଇ ଅଟକ

କୋକସରା/କ୍ରାନ୍ତିକ୍ଷେତ୍ର : କୌଣସି କଥାକୁ ନେଇ  ଆକ୍ରମଣର ଶିକାର ହୋଇ ଗୁରୁତର ଥିବା ଜଣେ ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଓ ଦୁଃଖଦ ଘଟଣା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ଯୁବକ ଜଣକ ହେଲେ ଗ୍ରାମର ଲଲିତ ପୁଝାରୀ। ମିଳିଥିବା ସୂଚନା ଅନୁସାରେ, ଗତ ବୁଧବାର ଦିନ କୌଣସି କାରଣକୁ ନେଇ ଗ୍ରାମର ଲଲିତଙ୍କ ସହ ଯୁବକ ସୁଶାନ୍ତ ନାଏକଙ୍କ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସୁଶାନ୍ତ ଏକ ଠେଙ୍ଗାରେ ଲଲିତଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିବା ବେଳେ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଏହାକୁ ନେଇ ଲଲିତଙ୍କ ପରିବାର ପକ୍ଷରୁ ମାଡ଼ ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି। ଏବଂ ସୁଶାନ୍ତଙ୍କ ବିରୋଧରେ ହତ୍ୟା ଅଭିଯୋଗ ଅଣାଯାଇ ଆମପାଣି ଥାନାରେ ଏକ ମାମଲା ଦାୟର କରାଯାଇଛି। ଅଭିଯୋଗ ପାଇବା ପରେ ଆମପାଣି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଏବଂ ମୃତଦେହ ଜବତ କରାଯାଇ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଘଟଣାରେ ଯୁବକ ସୁଶାନ୍ତ ନାଏକ ଓ ତାଙ୍କ ବାପା ଶଙ୍କର ନାଏକଙ୍କୁ ପୋଲିସ ଥାନାରେ ଅଟକ ରଖି ଅଧିକ ପଚରାଉଚରା ଚଳାଇଛି। ମୃତ ଯୁବକଙ୍କ ପାଟିରୁ ଫେଣ ବାହାରିଥିବା ଦେଖିବାକୁ ମିଳିଥିବାରୁ ମୃତ୍ୟୁ କୁ ନେଇ ପୋଲିସର ସନ୍ଦେହ ବଢ଼ିଛି। ଅନ୍ୟପଟେ ମାଡ଼ ଯୋଗୁଁ ଲଲିତଙ୍କ ମୃତ୍ୟୁ ହୋଇଛି ନାଁ ଅନ୍ୟ କୌଣସି କାରଣ ରହିଛି ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି। ଆମପାଣି ଥାନାରେ ଏକ ମାମଲା ରୁଜୁ ହୋଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *