କୋକସରା/କ୍ରାନ୍ତିକ୍ଷେତ୍ର : ଦେଶର ଅଖଣ୍ଡତା, ଏକତା ଓ ଦେଶପ୍ରେମର ଭାବନା ଜାଗ୍ରତ କରିବା ଲକ୍ଷ୍ୟରେ ସ୍ବାଧୀନତା ଦିବସ ଅବସରରେ ସପ୍ତାହେ ବ୍ୟାପୀ ଦେଶସାରା ‘ହର୍ ଘର୍ ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କ୍ରମରେ ଶୁକ୍ରବାର କୋକସରା ବ୍ଳକ ପ୍ରଶାସନ ପକ୍ଷରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଓ ବାଇକ୍ ରାଲି ଅନୁଷ୍ଠିତ ହୋଇଛି। ଏହି ସଚେତନତା ଶୋଭାଯାତ୍ରାରେ ଧର୍ମଗଡ଼ ବିଧାୟକ ସୁଧୀର ପାଟ୍ଟଯୋଷୀ, ବ୍ଳକ ଅଧ୍ୟକ୍ଷା ରୀତା ଅଗ୍ରୱାଲ, ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ହିମାଞ୍ଚଳ ମାଝୀ, ତହସିଲଦାର ଚୌଡ଼ଗଙ୍ଗ ପ୍ରଧାନ, ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି, କୋକସରା ଥାନା ଅଧିକାରୀ ଡମ୍ବରୁଧର ଭରତିଆ, ଅବକାରୀ ଓଆଇସି ଗୁପ୍ତେଶ୍ୱର ପୁଟେଲଙ୍କ ସମେତ ବିଭିନ୍ନ ବିଭାଗର ସରକାରୀ ଅଧିକାରୀ, କର୍ମଚାରୀ, ଶିକ୍ଷକ ଓ ସ୍ଥାନୀୟ ଜନସାଧାରଣ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ। ବ୍ଳକ କାର୍ଯ୍ୟାଳୟ ପ୍ରାଙ୍ଗଣରୁ ଏହି ବାଇକ୍ ରାଲି ବାହାରି ଜାତୀୟ ରାଜପଥ ଦେଇ ଗମ୍ଭାରୀଗୁଡ଼ା ଓ ଚିକିଲି ଦେଇ ଲଡୁଗାଁରେ ପହଞ୍ଚିଥିଲା। ସେଠାରେ ସ୍ଥାନୀୟ ଦୁର୍ଗା ମଣ୍ଡପଠାରେ ଅତିଥି ଓ ନେତୃବୃନ୍ଦ ଉପସ୍ଥିତ ଜନସାଧାରଣଙ୍କୁ ଦେଶପ୍ରେମରେ ଉଦ୍ବୁଦ୍ଧ ହେବା ପାଇଁ ଆହ୍ୱାନ ଦେଇ ଉଦ୍ବୋଧନ ଦେଇଥିଲେ। ପରେ ଏହି ରାଲି କେନ୍ଦୁଡଙ୍ଗରୀ ଓ ମହାଜନଗୁଡ଼ା ଛକ ଦେଇ ପୁନର୍ବାର ଜାତୀୟ ରାଜପଥରୁ କୋକସରାରେ ପହଞ୍ଚି ନଗର ପରିକ୍ରମା କରିଥିଲା। ଶୋଭାଯାତ୍ରା ସମୟରେ ଅଂଶଗ୍ରହଣକାରୀ ମାନେ ହାତରେ ଜାତୀୟ ପତାକା ଧରି ଭାରତ ମାତା କି ଜୟ, ହର୍ ଘର୍ ତ୍ରିରଙ୍ଗା ଓ ଘର ଘର ତ୍ରିରଙ୍ଗା ଭଳି ଦେଶପ୍ରେମମୂଳକ ନାରାବାଜି କରି ସମଗ୍ର ଅଞ୍ଚଳରେ ଏକ ଦେଶପ୍ରେମର ପରିବେଶ ସୃଷ୍ଟି କରିବା ସହ ସାଧାରଣରେ ଜନସଚେତନତା ସୃଷ୍ଟି କରିଥିଲେ।
