ଇନ୍ଦ୍ରାବତୀ କେନାଲ ଗେଟ୍‌ରେ ଫସିଥିଲେ ଯୁବକ ; ସୁରକ୍ଷିତ ଉଦ୍ଧାର କଲେ ଅଗ୍ନିଶମ ବାହିନୀ

କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକ କାଶିବାହାଲ ଦେଇ ପ୍ରବାହିତ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ଗେଟ୍‌ରେ ଫସି ରହିଥିବା ଜଣେ ଯୁବକଙ୍କୁ ଶୁକ୍ରବାର ଅଗ୍ନିଶମ ବିଭାଗ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ଯୁବକ ଜଣକ ହେଲେ କନ୍ଦାବୁଟ୍ରା ଗ୍ରାମର କୁମର ରାଉତ (୩୦)। ସୂଚନା ଅନୁଯାୟୀ, କୁମର କୌଣସି କାରଣରୁ କେନାଲର ପାୱାର ଚେନାଲ ଗେଟ୍ ତଳକୁ ଯାଇ ସେଠାରେ ଫସି ରହିଥିଲେ। କେନାଲ ଗେଟ୍‌ରେ ନିୟୋଜିତ କର୍ମଚାରୀ ଏହା ଦେଖିବା ପରେ କୌଣସି ଅଘଟଣ ଆଶଙ୍କା କରି ସ୍ଥାନୀୟ କାଶିବାହାଲ ଗ୍ରାମର ଜଣେ ସାମାଜିକ କର୍ମୀଙ୍କୁ ଜଣାଇଥିଲେ। ପରେ ସମ୍ପୃକ୍ତ ସାମାଜିକ କର୍ମୀ କୋକସରା ଅଗ୍ନିଶମ ବିଭାଗକୁ ତୁରନ୍ତ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗର ଓଆସି ପ୍ରଶାନ୍ତ ବାଘଙ୍କ ନେତୃତ୍ୱରେ କର୍ମଚାରୀ କଶ୍ୟପ କୁମାର ପଟ୍ଟନାୟକ, ରାଧେଶ୍ୟାମ ପ୍ରଧାନୀ, ସୁନୀଲ ରଞ୍ଜନ ବାରଳା, ହେମନ୍ତ ନାଏକ, ଉମାକାନ୍ତ ନାଏକ, ଦେବାଶିଷ ମହାପାତ୍ର ଓ ସୁମିତ ରଞ୍ଜନ ବିଶ୍ୱାଳ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ ବାହିନୀର କର୍ମଚାରୀମାନେ ତୁରନ୍ତ ପଦକ୍ଷେପ ନେଇ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ଅଗ୍ନିଶମ ବିଭାଗର ଏହି ସଫଳ ଉଦ୍ଧାର କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।

Leave a Reply

Your email address will not be published. Required fields are marked *