ଜଗନ୍ନାଥ ମନ୍ଦିର ପରିସରରେ ଉତ୍ସାହର ସହ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର : ଦେଶର ୮୦ତମ ସ୍ୱାଧୀନତା ଦିବସ ଅବସରରେ ଆଜି ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଜଗନ୍ନାଥ ମନ୍ଦିର ପରିସରରେ ଉତ୍ସାହ ଓ ଦେଶଭକ୍ତିର ସହ ଏହି ଦିବସ ପାଳିତ ହୋଇଯାଇଛି। ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ନେତୃତ୍ୱରେ ଏବଂ ବରିଷ୍ଠ ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲଙ୍କ ପରିଚାଳନାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ତହସିଲଦାର ଚନ୍ଦନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଗୋଲାମୁଣ୍ଡା ଥାନା ଅଧିକାରୀ  ଯଶୋବନ୍ତ ସେମାଲଙ୍କ ସମେତ ପୋଲିସ ଅଧିକାରୀ, ବିଭିନ୍ନ ଜନପ୍ରତିନିଧି, ମିଶନ ଶକ୍ତିର ମହିଳା ଓ ବହୁ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ଥିଲେ। ପତାକା ଉତ୍ତୋଳନ ପରେ ସମସ୍ତେ ମିଳିତ ଭାବେ ଜାତୀୟ ସଙ୍ଗୀତ ଗାନ କରିଥିଲେ। ତହସିଲଦାର  ନାୟକ ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନ ସମ୍ପର୍କରେ ଆଲୋକପାତ କରିବା ସହ ଯୁବପିଢ଼ିଙ୍କୁ ଦେଶସେବା ଓ ରାଷ୍ଟ୍ର ଗଠନରେ ନିଜର ଅବଦାନ ରଖିବାକୁ ପ୍ରେରଣା ଦେଇଥିଲେ। ଏହି ଅବସରରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଖଲିଆପାଲିର ତହସିଲ ଚଲାନ, ତୁମୁରାର ସତ୍ୟନାରାୟଣ ନେଗୀ ଏବଂ ଗୋଲାମୁଣ୍ଡାର  ବାଳମୁକୁନ୍ଦ ପାଣିଗ୍ରାହୀଙ୍କୁ ସମ୍ମାନପତ୍ର ପ୍ରଦାନ କରାଯାଇଥିଲା। ଧ୍ୱଜସ୍ତମ୍ଭ ଚାରିପାଖକୁ ଫୁଲ ଓ ରଙ୍ଗୋଲିରେ ସୁନ୍ଦର ଭାବେ ସଜାଯାଇଥିବା ବେଳେ ସମଗ୍ର ମନ୍ଦିର ପରିସର “ଭାରତ ମାତା କି ଜୟ” ଓ “ବନ୍ଦେ ମାତରମ୍” ଧ୍ୱନିରେ ମୁଖରିତ ହୋଇଉଠିଥିଲା। କାର୍ଯ୍ୟକ୍ରମରେ ଅମରେଶ କାଣ୍ଡ, ତିରୁପତି ରଣା, ଦୁର୍ଗେଶ୍ୱର ରଣା, ସମୀର ସାହୁ, ଗଗନ ମୁଣ୍ଡ, ସୁଦର୍ଶନ ନିଗୀ, ଚତୁର୍ଭୁଜ ନାଏକ, ବୈଶାଖୁ କେତକୀଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ବିଶେଷ ଓ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତି ଯୋଗଦେଇଥିଲେ। ଶେଷରେ ପ୍ରଦୀପ କୁମାର ପଣ୍ଡା ଧନ୍ୟବାଦ ଜ୍ଞାପନ କରିଥିଲେ। ପରେ ଉପସ୍ଥିତ ସମସ୍ତଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *