ସଂକ୍ରିଗୁଡାରେ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

କଳାହାଣ୍ଡି/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : ଦେଶପ୍ରେମ, ଏକତା, ଭାଇଚାରା ଓ ସାମାଜିକ ସଂହତିର ଭାବନାକୁ ଆହୁରି ସୁଦୃଢ଼ କରି କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ପକ୍ଷରୁ ଭବାନୀପାଟଣା ସ୍ଥିତ ସଂକ୍ରିଗୁଡା ଯାଦବ ଭବନ ଠାରେ ୮୦ତମ ସ୍ୱାଧୀନତା ଦିବସ ଗରିମା ଓ ଉତ୍ସାହର ସହ ପାଳିତ ହୋଇଛି। ସକାଳ ୮ଟା ୨୦ ମିନିଟ୍‌ରେ ଜାତୀୟ ପତାକା ଉତ୍ତୋଳନ କରାଯାଇ ଦେଶର ସ୍ୱାଧୀନତା ପାଇଁ ଜୀବନ ବଳିଦାନ କରିଥିବା ମହାନ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏହି ଗରିମାମୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣାର ପୂର୍ବତନ ପୌରାଧ୍ୟକ୍ଷା ତଥା ଉତ୍କଳ ଯାଦବ ମହାସଭା, ଓଡ଼ିଶାର ରାଜ୍ୟ ମହିଳା ସଭାନେତ୍ରୀ ସଂଯୁକ୍ତା ବେହେରା ଯୋଗଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ମୁଖ୍ୟ ପରାମର୍ଶଦାତା ନଳିନୀ ରଞ୍ଜନ ରାଉତ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ଉପସଭାପତି ଜଗଦୀଶ ଯାଦବ, କମଲ ବାଗ ଓ ଯୁଧିଷ୍ଠିର ଗଉଡ଼ ଉପସ୍ଥିତ ଥିଲେ। ଅତିଥିମାନଙ୍କୁ ଭବାନୀପାଟଣା ସଦର ବ୍ଲକ ସଭାପତି ଦେବରାଜ ଗହୀର ଓ ସହର ଯାଦବ ସମିତି ସଭାପତି ରବୀନ୍ଦ୍ର ଲାଲ ଯାଦବ ସ୍ୱାଗତ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ଯୁଗ୍ମ ସମ୍ପାଦକ ବିଶ୍ୱରଞ୍ଜନ ଧଙ୍ଗଡାମାଝି, ସଦର ସମ୍ପାଦକ ରଥୁରାମ ବାଗ,ସହର ସମ୍ପାଦକ ସତ୍ୟନାରାୟଣ ବିଶି, ସଦର ଉପସଭାପତି ଉପେନ୍ଦ୍ର ଚଳାନ, ରାଜୀବ ଲୋଚନ ଜୁଆଡ଼, ଯଶକେତନ ଗୌଡ଼ ସହ ସମ୍ପାଦକ ହାତୀରମ ଜୁଆଡ଼ ଓ କୁନାଲ ଜୁଆଡ଼, ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ରାଉତ, ସୁରେନ୍ଦ୍ର ରାଉତ, ଅଟାମଗୁଡା ଆଞ୍ଚଳିକ ସଭାପତି ସତ୍ୟ ଗହୀର,ଉପସଭାପତି ପବନ ଗଉଡ଼, ଅରବିନ୍ଦ ଗୋପାଳଙ୍କ ସମେତ ଯାଦବ ସମାଜର ବହୁ ବରିଷ୍ଠ ସଦସ୍ୟ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମର ପରିଚାଳନା ଜିଲ୍ଲା ଯୁବ ଯାଦବ ସଭାପତି ପୀତବାସ ବେହେରା କରିଥିବାବେଳେ ଜିଲ୍ଲା ଯୁଗ୍ମ ସମ୍ପାଦକ ପୂର୍ଣ୍ଣ ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବକ୍ତାମାନେ କହିଥିଲେ ଯେ, ସ୍ୱାଧୀନତା କେବଳ ଏକ ଉତ୍ସବ ନୁହେଁ, ବରଂ ଦେଶ ପ୍ରତି ଆମର ଦାୟିତ୍ୱକୁ ସ୍ମରଣ କରାଇବାର ଏକ ପବିତ୍ର ଦିନ।ଦେଶର ଏକତା, ସାମାଜିକ ସମାନତା, ଭାଇଚାରା ଓ ଯୁବପିଢ଼ିର ସଶକ୍ତିକରଣ ପାଇଁ ସମସ୍ତେ ଏକାଠି ହୋଇ କାମ କରିବାକୁ ଆହ୍ୱାନ ଦିଆଯାଇଥିଲା। ଦେଶ ପ୍ରଥମ, ସମାଜ ଦ୍ୱିତୀୟ ଓ ନିଜ “ସ୍ୱାର୍ଥ ଶେଷ” ଏହି ଭାବନା ସହ ସ୍ୱାଧୀନତା ଦିବସର ମହତ୍ତ୍ୱକୁ ଜନଜୀବନରେ ପ୍ରତିଫଳିତ କରିବାର ସଂକଳ୍ପ ନିଆଯାଇଥିଲା। ଜାତୀୟ ସଙ୍ଗୀତ, ବନ୍ଦେ ମାତରମ ଓ ଜୟ ହିନ୍ଦ୍ ଧ୍ୱନିରେ ସମଗ୍ର ପରିବେଶ ଦେଶପ୍ରେମରେ ମୁଖରିତ ହୋଇଥିଲା।

Leave a Reply

Your email address will not be published. Required fields are marked *