ଗୋଟିଏ ରାତିରେ ଦୁଇ ବିବାହିତା ମହିଳା ନିଖୋଜ, ଥାନାରେ ଅଭିଯୋଗ

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କାଣିଗୁମା ପଞ୍ଚାୟତର ଅରଖପେଡି ଗ୍ରାମରେ ଏକା ରାତିରେ ଦୁଇ ଜଣ ବିବାହିତ ମହିଳା ନିଖୋଜ ହୋଇଯିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଦୁଇ ପରିବାରରେ ଚିନ୍ତା ପ୍ରକାଶ ପାଇଛି। ଉଭୟ ମହିଳା ନିଜ ନିଜ ସନ୍ତାନଙ୍କୁ ଛାଡ଼ି ଘରୁ କେଉଁଆଡ଼େ ଚାଲିଯାଇଥିବା ନେଇ ଥୁଆମୂଳ ରାମପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଅରଖପେଡି ଗ୍ରାମର ଚନ୍ଦ୍ର ମାଝୀଙ୍କ ସ୍ତ୍ରୀ ହିତାଏ ଦେଇ ମାଝୀ (୨୬) ଗତ ୧୩ ତାରିଖ ରାତି ପ୍ରାୟ ୨ଟା ସମୟରେ ନିଜର ଦୁଇ ସନ୍ତାନଙ୍କୁ ଘରେ ଛାଡ଼ି କେଉଁଆଡ଼େ ଚାଲିଯାଇଥିଲେ। ସକାଳେ ପରିବାର ଲୋକେ ତାଙ୍କୁ ଘରେ ନପାଇ ଖୋଜାଖୋଜି ଆରମ୍ଭ କରିଥିଲେ। ହିତାଏ ଦେଇ ମାଝୀଙ୍କ ବର୍ଣ୍ଣନା ଅନୁଯାୟୀ, ସେ ସାମାନ୍ୟ କଳା ରଙ୍ଗର ଏବଂ ନିଖୋଜ ସମୟରେ ଧଳା ଶାଢ଼ୀ ଓ ଲାଲ୍ ବ୍ଲାଉଜ ପିନ୍ଧିଥିଲେ। ସ୍ବାମୀ ଚନ୍ଦ୍ର ମାଝୀ ଶନିବାର ଏନେଇ ଥୁଆମୂଳ ରାମପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେହିପରି, ଏହି ରାତିରେ ଅରଖପେଡି ଗ୍ରାମର ଭୁକୁଲୁ ମାଝୀ (୩୫)ଙ୍କ ସ୍ତ୍ରୀ ଦାନମତୀ ମଧ୍ୟ ନିଜର ଗୋଟିଏ ପୁଅ ଓ ଦୁଇ ଝିଅଙ୍କୁ ଘରେ ଛାଡ଼ି କେଉଁଆଡ଼େ ଚାଲିଯାଇଥିବା ନେଇ ଅଭିଯୋଗ ହୋଇଛି। ଦାନମତୀଙ୍କ ବୟସ ସମ୍ପର୍କରେ ଅଭିଯୋଗରେ ଉଲ୍ଲେଖ ନଥିବା ବେଳେ ତାଙ୍କ ବର୍ଣ୍ଣନା ଅନୁଯାୟୀ ସେ ଗୋରା ଓ ପତଳା ଶରୀରର ଏବଂ ନିଖୋଜ ସମୟରେ ଲାଲ୍ ଶାଢ଼ୀ ଓ ବ୍ଲାଉଜ ପିନ୍ଧିଥିଲେ। ଉଭୟ ମହିଳାଙ୍କ ନିଖୋଜ ହେବା ପରେ ସେମାନଙ୍କ ସ୍ବାମୀ ଓ ପରିବାର ଲୋକେ ଆଖପାଖ ଅଞ୍ଚଳରେ ବହୁ ଖୋଜାଖୋଜି କରିଥିଲେ। ଏପରିକି ପରିବାର ସମ୍ପର୍କୀୟଙ୍କ ଘରେ ମଧ୍ୟ ଖୋଜିଥିଲେ। ହେଲେ ଏପର୍ଯ୍ୟନ୍ତ ଉଭୟଙ୍କ କୌଣସି ସନ୍ଧାନ ମିଳିନଥିବା ଅଭିଯୋଗପତ୍ରରେ ଦର୍ଶାଯାଇଛି। ଏକା ରାତିରେ ସେଇ ଗୋଟିଏ ଗ୍ରାମର ଦୁଇ ଜଣ ମହିଳା ନିଜ ନିଜ ସନ୍ତାନଙ୍କୁ ଛାଡ଼ି ନିଖୋଜ ହେବା ଘଟଣାକୁ ନେଇ ଅରଖପେଡି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଉଭୟ ପରିବାର ଚିନ୍ତାରେ ଥିବା ବେଳେ ନିଖୋଜ ଦୁଇ ମହିଳାଙ୍କ ସନ୍ଧାନ ପାଇଁ ପରିବାର ପକ୍ଷରୁ ଥୁଆମୂଳ ରାମପୁର ଥାନାରେ ଅଭିଯୋଗ କରାଯାଇଛି। ଘଟଣାର ପ୍ରକୃତ କାରଣ କ’ଣ ଏବଂ ଉଭୟ ମହିଳା କେଉଁଆଡ଼େ ଯାଇଛନ୍ତି, ତାହା ସେମାନଙ୍କ ସନ୍ଧାନ ମିଳିବା ପରେ ହିଁ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *