ସାପ କାମୁଡାରେ ୭ ବର୍ଷର ବାଳକର ମୃତ୍ୟୁ

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ସୌମ୍ୟ ରଞ୍ଜନ ପାତ୍ର) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ସ୍ଥିତ ଉଲିଗୁଞ୍ଜେର ଗାଁରେ ବିଷାକ୍ତ ସାପ କାମୁଡାରେ ଜଣେ ୭ ବର୍ଷର ବାଳକ ଲାଗେସ ମାଝୀର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ରବିବାର ରାତିରେ ଘରେ ଶୋଇଥିବା ସମୟରେ ଲାଗେସକୁ କୈାଣସି ଏକ ବିଷାକ୍ତ ସାପ କାମୁଡିଥିଲା। ପରିବାର ଲୋକେ ଜାଣିବା ପରେ ତୁରନ୍ତ ତାଙ୍କୁ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଅଭାବନୀୟ ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଗ୍ରାମବାସୀ ଅଭିଯୋଗ କରୁଛନ୍ତି ଯେ ଏହି ଅଞ୍ଚଳରେ ହାତୀ ଉପଦ୍ରବ ଅଧିକ ଥିବାରୁ ବିଦ୍ୟୁତ ବିଭାଗ ପକ୍ଷରୁ ପ୍ରତିଦିନ ରାତିରେ ବିଦ୍ୟୁତ କାଟି ଦିଆଯାଉଛି। ଅନ୍ଧାର ଯୋଗୁଁ ଘରେ ସାପ, ବିଛା ଆଦି ପଶୁଥିବା ବେଳେ ତାକୁ ଦେଖିପାରୁନାହାନ୍ତି। ଫଳରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଛି। “ହାତୀ ପାଇଁ ଲାଇଟ୍ କାଟୁଛନ୍ତି, କିନ୍ତୁ ଆମ ପିଲାମାନଙ୍କ ଜୀବନ ଯାଉଛି। ପ୍ରଶାସନ ଏଥିପାଇଁ କିଛି ବିକଳ୍ପ ବ୍ୟବସ୍ଥା କରୁ” ବୋଲି ଗ୍ରାମବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *