କଣ୍ଟାମାଳ/କ୍ରାନ୍ତିକ୍ଷେତ୍ର (ମନଧର କର୍ମୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତ ବରଗାଁ–ବରିଗୁଭା ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡ଼ିଛି। ଦୀର୍ଘ ଦିନ ଧରି ରାସ୍ତାର ଆବଶ୍ୟକ ମରାମତି ଓ ରକ୍ଷଣାବେକ୍ଷଣ ହୋଇନଥିବାରୁ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇଛି। ଫଳରେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକମାନେ ପ୍ରତିଦିନ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ବର୍ଷା ହେଲେ ରାସ୍ତାର ଖାଲଗୁଡ଼ିକରେ ପାଣି ଜମି ରହୁଥିବାରୁ ଖାଲର ଗଭୀରତା ଜଣାପଡ଼ୁନାହିଁ। ଏହା ଯୋଗୁଁ ଦୁଇଚକିଆ ଓଚାରିଚକିଆ ଯାନ ଚଳାଚଳରେ ବହୁତ ଅସୁବିଧା ହେଉଛି। ଛାତ୍ରଛାତ୍ରୀ, ଚାଷୀ, ରୋଗୀ ଓ ଦୈନନ୍ଦିନ କାମରେ ଯାତାୟାତ କରୁଥିବା ସାଧାରଣ ଲୋକେ ଏହି ରାସ୍ତାର ଦୁରବସ୍ଥା ଯୋଗୁଁ ଅଧିକ ହଇରାଣ ହେଉଛନ୍ତି। ରାସ୍ତାର ଏଭଳି ଅବସ୍ଥା ଯୋଗୁଁ ଯାନବାହନ ଚଳାଚଳ ଏହି ରାସ୍ତା ଦେଈ ଯିବା ଆସିବା କମିବାରେ ଲାଗିଛି ତାସହ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ୁଛି। ଜରୁରୀ ସମୟରେ ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଜରୁରୀକାଳୀନ ଯାନ ଯାତାୟାତରେ ମଧ୍ୟ ସମସ୍ୟା ଉପୁଜିପାରେ ବୋଲି ଅଞ୍ଚଳବାସୀ ଚିନ୍ତା ପ୍ରକାଶ କରୁଛନ୍ତି। ଏହି ରାସ୍ତା ଉପରେ ନିର୍ଭରଶୀଳ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ବେଳେ, ସମ୍ପୃକ୍ତ ବିଭାଗ ଓ ପ୍ରଶାସନ ଏହି ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି।
