ବାତେରପଡ଼ାରେ କରୁଣ ଚିତ୍ର : ‘ବିକାଶର ଧାରା’ ରେ ନବଜାତର ଷ୍ଟ୍ରେଚରରେ ପ୍ରଥମ ଯାତ୍ରା

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ସୌମ୍ୟରଞ୍ଜନ ପାତ୍ର) : କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼କୁ ‘ଶିଳ୍ପ ନଗରୀ’ କୁହାଯାଉଥିଲେ ବି ସେଠାକାର ଗ୍ରାମାଞ୍ଚଳରେ ବିକାଶର ବାସ୍ତବ ଚିତ୍ର ଏବେ ବି ସଂପୂର୍ଣ୍ଣ ସିନ୍ଧୁକୁ ବିନ୍ଦୁ। ଦୁର୍ଗମ ଓ ଅବହେଳିତ ଅବସ୍ଥାରେ ଦିନ କାଟୁଛନ୍ତି ଏହି ଆଦିବାସୀ ବହୁଳ ଅଞ୍ଚଳର ଲୋକେ। ସୂଚନା ଅନୁଯାୟୀ, ଲାଞ୍ଜିଗଡ଼ ବ୍ଲକ ଦୁର୍ଗମ ବିଜେପୁର ଗ୍ରାମ ପଞ୍ଚାୟତ ବାତେରପଡ଼ା ଗାଁ ମାଝୀପଡ଼ାର ଆଲିଙ୍ଗ ଦେଇ ମାଝୀ(୩୪) ନାମକ ଜଣେ ଗର୍ଭବତୀ ମହିଳା ବିଳମ୍ବିତ ରାତିରେ ଏକ ଶିଶୁ କନ୍ୟା କୁ ଜନ୍ମ ଦେଇଥିଲା। କିନ୍ତୁ ପ୍ରସବ ପରେ ମହିଳା ଜଣଙ୍କ ଗୁରୁତର ହୋଇପଡ଼ିଥିଲେ। ଏହାପରେ ମେଡିକାଲ ନେବାପାଇଁ ଆଶା କର୍ମୀଙ୍କୁ ଅବଗତ କରିବା ସହ ଆମ୍ବୁଲାନ୍ସକୁ ଡକାଯାଇଥିଲା। ହେଲେ ଖରାପ ରାସ୍ତା ଯୋଗୁଁ ଗାଁ ପର୍ଯ୍ୟନ୍ତ ଆସି ପାରିଲା ନାହିଁ ଆମ୍ବୁଲାନ୍ସ, ଆଉ ଅଧା ବାଟରେ ଅଟକି ରହିଲା।ଉପାୟ ଶୂନ୍ୟ ହୋଇ ପରିବାର ଲୋକେ ଝିପିଝିପି ବର୍ଷା ମଧ୍ୟରେ ଆଶା କର୍ମୀ ଓ ପରିବାର ଲୋକେ ଗୁରୁତର ମାଁ କୁ ଏକ ଷ୍ଟ୍ରେଚରରେ ବୋହି ବୋହି ମୁଖ୍ୟ ରାସ୍ତା ୧ କିମି ପର୍ଯ୍ୟନ୍ତ ଆଣିଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଲାଞ୍ଜିଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଗୋଟିଏ ପଟେ ସରକାର ‘ବିକାଶର ଧାରା’ ଓଡିଶା ସାରା କାର୍ଯ୍ୟକ୍ରମ କରି ଡିଣ୍ଡିମ ପିଟୁଥିବା ବେଳେ, ଅନ୍ୟପଟେ ଜନ୍ମର ପ୍ରଥମ ଦିନରେ ହିଁ ଏକ ନବଜାତ ଏବଂ ଗୁରୁତର ମାଁ ଙ୍କୁ ଷ୍ଟ୍ରେଚରେ ବୋହି ନେବା ଘଟଣା ପ୍ରଶାସନିକ ଅବହେଳାର ଆଉ ଏକ ଜ୍ୱଳନ୍ତ ଉଦାହରଣ। ଏହି ସଂବେଦନଶୀଳ ପରିସ୍ଥିତିରୁ ଦୁର୍ଗମ ଆଦିବାସୀ ଅଞ୍ଚଳବାସୀ କେବେ ମୁକ୍ତି ପାଇବେ, ତାହା ଏବେ ବି ପ୍ରଶ୍ନବାଚୀ ହୋଇ ରହିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ତୁରନ୍ତ ଗାଁକୁ ସବୁଦିନିଆ ରାସ୍ତା ନିର୍ମାଣ କରିବାକୁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *