କଣ୍ଟାମାଳ/କ୍ରାନ୍ତିକ୍ଷେତ୍ର (ମନଧର କର୍ମୀ) : ରୋଗୀଙ୍କ ଯନ୍ତ୍ରଣାରେ ଯେଉଁଠି ଡାକ୍ତରଖାନା ହେବା କଥା ଆଶାର ଆଶ୍ରୟସ୍ଥଳ, ସେଠାରେ ଯଦି ଡାକ୍ତରଙ୍କ ଅଭାବ ଦେଖାଦିଏ, ତେବେ ସାଧାରଣ ଲୋକଙ୍କ ଭରସା କେଉଁଠି। କଣ୍ଟାମାଳ ବ୍ଲକ ସଦର ମହକୁମାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଏବେ ଏହି ପ୍ରଶ୍ନ ହିଁ ଅଞ୍ଚଳବାସୀଙ୍କ ମନରେ ଘୁରିବାରେ ଲାଗିଛି।କଣ୍ଟାମାଳ ବ୍ଲକର ୧୫ଟି ପଞ୍ଚାୟତର ହଜାର ହଜାର ଲୋକଙ୍କ ପାଇଁ ଏହି ସ୍ୱାସ୍ଥ୍ୟକେନ୍ଦ୍ରଟି ଏକ ପ୍ରମୁଖ ଚିକିତ୍ସା ଆଶ୍ରୟସ୍ଥଳ। କେବଳ କଣ୍ଟାମାଳ ନୁହେଁ, ପଡ଼ୋଶୀ କନ୍ଧମାଳ ଓ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳର ଲୋକେ ମଧ୍ୟ ଚିକିତ୍ସା ପାଇଁ ଏଠାକୁ ଆସନ୍ତି। ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ ନିକଟରେ ଥିବା ଏହି ଚିକିତ୍ସାକେନ୍ଦ୍ର ଏକ ଭରସାର ଦୀପ ଭଳି। କିନ୍ତୁ ସେହି ଦୀପର ଆଲୋକ ଯେପରି ଦିନକୁ ଦିନ ମଳିନ ହେଉଛି। ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଡାକ୍ତର ନଥିବା ଯୋଗୁଁ ରୋଗୀମାନେ ଆଶାନୁରୂପ ଚିକିତ୍ସା ସେବା ପାଇପାରୁନଥିବା ଅଭିଯୋଗ ହେଉଛି। ସାଧାରଣ ରୋଗ ହେଉ କି ଜରୁରୀ ଚିକିତ୍ସା, ଡାକ୍ତର ଉପଲବ୍ଧତା ହିଁ ସ୍ୱାସ୍ଥ୍ୟସେବାର ପ୍ରଥମ ଆବଶ୍ୟକତା। ଏଠାରେ ସେହି ମୌଳିକ ଆବଶ୍ୟକତା ଯଦି ଅପୂର୍ଣ୍ଣ ରହିଯାଏ, ତେବେ ଏହି ବିଶାଳ ଅଞ୍ଚଳର ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ବିଶେଷକରି ଗରିବ ଓ ଦୁର୍ବଳ ପରିବାର ପାଇଁ ନିକଟସ୍ଥ ସରକାରୀ ଡାକ୍ତରଖାନା ହିଁ ସବୁଠାରୁ ବଡ଼ ଭରସା। କିନ୍ତୁ ଯଦି ସେଠାରେ ଆବଶ୍ୟକ ଚିକିତ୍ସା ନମିଳେ, ତେବେ ରୋଗୀଙ୍କୁ ଦୂରଦୂରାନ୍ତକୁ ନେବାକୁ ପଡ଼େ। ଏଥିରେ ଯାତାୟାତ ଖର୍ଚ୍ଚ ବଢ଼ିବା ସହିତ ସମୟ ମଧ୍ୟ ନଷ୍ଟ ହୁଏ। ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଏହି ବିଳମ୍ବ କେତେବେଳେ ଜୀବନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରେ। ନିଜ ଡାକ୍ତରଖାନା ଥାଇ ବି ଅନ୍ୟ ଜିଲ୍ଲା ମୁହାଁ ରୋଗୀ ହେଇଛନ୍ତି। କଣ୍ଟାମାଳରେ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଥିଲେ ମଧ୍ୟ ଅନେକ ରୋଗୀ ଚିକିତ୍ସା ପାଇଁ ପଡ଼ୋଶୀ ସୁବର୍ଣ୍ଣପୁର ଓ ବଲାଙ୍ଗୀର ଅଞ୍ଚଳର ଡାକ୍ତରଖାନା ଉପରେ ନିର୍ଭର କରୁଥିବା ଅଭିଯୋଗ ରହିଛି। ଏହି ଚିତ୍ର କେବଳ ଏକ ଡାକ୍ତରଖାନାର ସମସ୍ୟା ନୁହେଁ; ଏହା ଏକ ସମଗ୍ର ଅଞ୍ଚଳର ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତି ଏକ ଗଭୀର ପ୍ରଶ୍ନଚିହ୍ନ। ଯେଉଁ ଅଞ୍ଚଳର ଲୋକେ ନିଜ ଅଞ୍ଚଳରେ ଥିବା ସରକାରୀ ଚିକିତ୍ସାକେନ୍ଦ୍ରରୁ ଆବଶ୍ୟକ ସେବା ପାଇବାର ଅଧିକାର ରଖନ୍ତି, ସେମାନେ ଯଦି ଅନ୍ୟ ଜିଲ୍ଲାର ଦ୍ୱାର ଠକ୍ଠକାଇବାକୁ ବାଧ୍ୟ ହୁଅନ୍ତି, ତେବେ ଏହାର କାରଣ କଣ ହୋଇପାରେ ବୋଳି ପ୍ରଶ୍ନ ଉଠୁଛି। ଏହା ସହ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅଭାବ ସହ ଆଉ ଏକ ସମସ୍ୟା ଏବେ ସାଧାରଣ ଲୋକଙ୍କ ଅସନ୍ତୋଷକୁ ବଢ଼ାଇଛି। ଡାକ୍ତରଖାନା ପରିସରରେ ଦୁଇ ବର୍ଷରୁ ଅଧିକ ସମୟ ପୂର୍ବରୁ ଆହାର କେନ୍ଦ୍ର ଉଦ୍ଘାଟିତ ହୋଇଥିଲେ ମଧ୍ୟ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନଥିବା ଅଭିଯୋଗ ରହିଛି। ଚିକିତ୍ସା ପାଇଁ ଦୂରଦୂରାନ୍ତରୁ ଆସୁଥିବା ଗରିବ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ ଆହାର କେନ୍ଦ୍ର ଏକ ଆଶ୍ୱାସନର ବ୍ୟବସ୍ଥା ହୋଇପାରିଥାନ୍ତା। କିନ୍ତୁ ଉଦ୍ଘାଟନର ଫଳକ ଯଦି ଦୀର୍ଘଦିନ ଧରି ନିରବ ଠିଆ ହୋଇ ରହେ ଏବଂ ଲୋକଙ୍କ ପାଇଁ ସେବା ଉପଲବ୍ଧ ନହୁଏ, ତେବେ ଏହା ସରକାରୀ ଯୋଜନାର ଉଦ୍ଦେଶ୍ୟ ଓ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ବାଚି ସୃଷ୍ଟି କରୁଛି। କିଛି ମାସ ପୂର୍ବରୁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ କଣ୍ଟାମାଳ ଗସ୍ତରେ ଆସିଥିବା ସମୟରେ ଅଞ୍ଚଳର ସ୍ୱାସ୍ଥ୍ୟ ସମସ୍ୟା ନେଇ ଆଶା ସୃଷ୍ଟି ହୋଇଥିଲା। ସମସ୍ୟାର ସମାଧାନ ହେବ ବୋଲି ଆଶ୍ୱାସନ ମିଳିଥବ ବୋଲି ସ୍ଥାନୀୟ ଲୋକଙ୍କ ମନରେ ଆଶ୍ୱାସନା ହୋଈ ଥିଲା କିନ୍ତୁ ଆଶ୍ୱାସନ ପରେ ମଧ୍ୟ ଯଦି ପରିସ୍ଥିତିରେ ଆଖିଦୃଶିଆ ପରିବର୍ତ୍ତନ ନଆସେ, ତେବେ ଲୋକଙ୍କ ମନରେ ନିରାଶା ଜନ୍ମ ନେବା ସ୍ୱାଭାବିକ। କଣ୍ଟାମାଳବାସୀଙ୍କ ପ୍ରଶ୍ନ “କେବେ ମିଳିବ ସ୍ଥାୟୀ ସମାଧାନ?” କଣ୍ଟାମାଳ ଅଞ୍ଚଳର ବହୁ ଲୋକଙ୍କ ଜୀବନଜୀବିକା ଗ୍ରାମୀଣ ଅର୍ଥନୀତି ସହ ଜଡ଼ିତ। ଏପରି ପରିବାର ପାଇଁ ଘରୋଇ ଡାକ୍ତରଖାନାର ମହଙ୍ଗା ଚିକିତ୍ସା ଖର୍ଚ୍ଚ ବହନ କରିବା ସହଜ ନୁହେଁ। ତେଣୁ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ହିଁ ସେମାନଙ୍କ ଶେଷ ଭରସା। ଜଣେ ଗରିବ ରୋଗୀ ଯେତେବେଳେ ରୋଗର ଯନ୍ତ୍ରଣା ନେଇ ଡାକ୍ତରଖାନାକୁ ଆସେ, ସେତେବେଳେ ତାଙ୍କ ଆଶା ଥାଏ ଡାକ୍ତର ଦେଖିବେ, ଔଷଧ ମିଳିବ ଏବଂ ରୋଗରୁ ମୁକ୍ତି ମିଳିବ। କିନ୍ତୁ ଡାକ୍ତର ଅଭାବର କାରଣରୁ ଯଦି ସେ ପୁଣି ଦୂର ଡାକ୍ତରଖାନା ମୁହାଁ ହୁଅନ୍ତି, ତେବେ ତାଙ୍କ ଉପରେ ଚିକିତ୍ସା ଖର୍ଚ୍ଚ ସହ ଯାତାୟାତ ଖର୍ଚ୍ଚର ଅତିରିକ୍ତ ବୋଝ ପଡ଼େ। ସେହି ସମୟରେ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ଭୋଗନ୍ତି। କେବଳ ସରକାରୀ ଅର୍ଥରେ ଭବନ ନିର୍ମାଣ, ଉଦ୍ଘାଟନ ଓ ଫଳକ ସ୍ଥାପନ ହେଲେ ହିଁ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ ହୁଏ ନାହିଁ। ଏକ ସ୍ୱାସ୍ଥ୍ୟକେନ୍ଦ୍ର ସେତେବେଳେ ସାର୍ଥକ ହୁଏ, ଯେତେବେଳେ ସେଠାରେ ଆବଶ୍ୟକ ଡାକ୍ତର, ନର୍ସ, ଔଷଧ, ପରୀକ୍ଷା ସୁବିଧା, ଜରୁରୀ ସେବା ଓ ରୋଗୀଙ୍କ ପାଇଁ ଆବଶ୍ୟକ ମୌଳିକ ସୁବିଧା ଉପଲବ୍ଧ ଥାଏ। ଏହି କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତି ଯଦି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଈ ପଦକ୍ଷେପ ଗ୍ରହଣ କଲେ ତାହା ଆଗାମୀ ଦିନରେ ଏହା କେବଳ କଣ୍ଟାମାଳ ନୁହେଁ, ପଡ଼ୋଶୀ ଜିଲ୍ଲାର ଲୋକଙ୍କ ପାଇଁ ମଧ୍ୟ ଏକ ଉତ୍ତମ ଚିକିତ୍ସା ଆଶ୍ରୟସ୍ଥଳ ହୋଇପାରିବ ବୋଳି ଅଞ୍ଚଳ ବାସୀ ଦାବୀ କରୁଛନ୍ତି।
