ରାସ୍ତା ନାଁ ମରଣଯନ୍ତା : ବର୍ଷାରେ ବଢ଼ୁଛି ଗ୍ରାମବାସୀଙ୍କ ଦୁର୍ଦ୍ଦଶା

ଜୁନାଗଡ/କ୍ରାନ୍ତିକ୍ଷେତ୍ର : ଜୁନାଗଡ଼ ବ୍ଲକ କଳେଇଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁଲିହାରି ଗ୍ରାମର ହାଇସ୍କୁଲ ଠାରୁ ବନ୍ଦତଳପଡ଼ାକୁ ସଂଯୋଗ କରୁଥିବା ରାସ୍ତା ଦୀର୍ଘଦିନ ଧରି ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ପଡ଼ିରହିଛି। ଏହି ପଡ଼ାରେ ୧୫ ପରିବାର ବସ ବାସ କରିଆସୁଛନ୍ତି। ରାସ୍ତାର ଅବସ୍ଥା ଏଭଳି ହୋଇଛି ଯେ, ସାଧାରଣ ଦିନରେ ମଧ୍ୟ ଯାତାୟାତ କରିବା କଷ୍ଟକର ହୋଇପଡ଼ୁଥିବା ବେଳେ ବର୍ଷା ଦିନରେ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ଆହୁରି ବଢ଼ିଯାଉଛି। ବର୍ଷା ହେଲେ ରାସ୍ତାରେ କାଦୁଅ ଓ ପାଣି ଜମି ରହୁଥିବାରୁ ଲୋକଙ୍କ ଯାତାୟାତରେ ବହୁ ସମସ୍ୟା ସୃଷ୍ଟି ହେଉଛି। ଛାତ୍ରଛାତ୍ରୀଙ୍କ ସ୍କୁଲ ଯିବା, ଚାଷୀଙ୍କ ଚାଷଜମିକୁ ଯିବା, ଜରୁରୀ ସମୟରେ ରୋଗୀଙ୍କୁ ଡାକ୍ତରଖାନା ନେବା ଭଳି ଦୈନନ୍ଦିନ ଆବଶ୍ୟକତା ମଧ୍ୟ ଏହି ରାସ୍ତା ଯୋଗୁଁ ପ୍ରଭାବିତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ରାସ୍ତାର ସମସ୍ୟା ନେଇ ସ୍ଥାନୀୟ ପଞ୍ଚାୟତ ପ୍ରଶାସନକୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ଏଯାଏଁ ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ ହେଉଛି। ପ୍ରତିବର୍ଷ ବର୍ଷା ଋତୁ ଆସିଲେ ଏହି ସମସ୍ୟା ପୁଣି ମୁଣ୍ଡ ଟେକୁଥିବା ବେଳେ ରାସ୍ତାର ସ୍ଥାୟୀ ଉନ୍ନତିକରଣ ପାଇଁ ଠୋସ୍ ପଦକ୍ଷେପ ନିଆଯାଉନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି, ନିର୍ବାଚନ ସମୟରେ ଗ୍ରାମାଞ୍ଚଳର ବିକାଶ, ଭଲ ରାସ୍ତା, ମୌଳିକ ସୁବିଧା ଓ ସମସ୍ୟାର ସମାଧାନ ନେଇ ଅନେକ ପ୍ରତିଶ୍ରୁତି ଦିଆଯାଉଥିବା ବେଳେ ନିର୍ବାଚନ ପରେ ସେହି ପ୍ରତିଶ୍ରୁତି ପାଣିର ଗାର ପାଲଟିଯାଉଛି ବୋଲି ସ୍ଥାନୀୟ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି। ନେତା ବଦଳୁଛନ୍ତି, ସରକାର ବଦଳୁଛି, ହେଲେ ଗ୍ରାମାଞ୍ଚଳର ଅନେକ ମୌଳିକ ସମସ୍ୟାର ଚିତ୍ର ବଦଳୁନାହିଁ ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି, ବିଶେଷକରି ବର୍ଷା ଦିନରେ ଏହି ରାସ୍ତା ଦେଇ ଯାତାୟାତ କରିବା ଗ୍ରାମବାସୀଙ୍କ ପାଇଁ ଯମ ଯନ୍ତ୍ରଣା ସଦୃଶ ହୋଇପଡ଼ୁଛି। ଦୀର୍ଘଦିନ ଧରି ସମସ୍ୟା ରହିଥିଲେ ମଧ୍ୟ ସ୍ଥାୟୀ ରାସ୍ତା ନିର୍ମାଣ କିମ୍ବା ମରାମତି ନେଇ ପଦକ୍ଷେପ ନିଆନଯିବା ଗ୍ରାମାଞ୍ଚଳ ବିକାଶର ବାସ୍ତବ ଚିତ୍ରକୁ ସାମ୍ନାକୁ ଆଣିଛି। ଏନେଇ କଳେଇଗାଁ ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପ୍ରତିକ୍ରିୟା ନେବା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିପାରିନାହିଁ।ତେବେ ଖବର ପ୍ରସାରଣ ପରେ ପ୍ରଶାସନ ଏହି ଗୁରୁତର ରାସ୍ତା ସମସ୍ୟା ପ୍ରତି କେବେ ଦୃଷ୍ଟି ଦେଉଛି ଏବଂ ଗ୍ରାମବାସୀଙ୍କ ଦୀର୍ଘଦିନର ଦାବିର ସ୍ଥାୟୀ ସମାଧାନ ପାଇଁ କି ପଦକ୍ଷେପ ନେଉଛି, ତାହା ଏବେ ଦେଖିବାକୁ ବାକି ରହିଲା।