ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡିର ନାଟ୍ୟ ଜଗତରେ ନେଲା ଏକ ଯୁଗର ଅବସାନ। ବିଶିଷ୍ଟ ନାଟ୍ୟକାର, ଅଭିନେତା ତଥା ନାଟ୍ୟ ନିର୍ଦ୍ଦେଶକ, ଅବସର ପ୍ରାପ୍ତ ଶିକ୍ଷକ ନୀଳାଞ୍ଚଳ ଲେଞ୍ଜିଆ ଆଉ ନାହାନ୍ତି। ତାଙ୍କର ଇହଧାମ ତ୍ୟାଗରେ କଳାହାଣ୍ଡିର କଳା, ସାହିତ୍ୟ ଓ ନାଟ୍ୟ ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି। କଳାହାଣ୍ଡି ଜିଲ୍ଲା କଳମପୁର ବ୍ଲକ ଅନ୍ତର୍ଗତ ରସଡୁମେର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଶ୍ରୀ ଲେଞ୍ଜିଆ ସେ ଦୀର୍ଘ ଦିନରୁ ରୋଗରେ ପଡି ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ୮୦ ବର୍ଷ ବୟସରେ ନିଜ ପୈତୃକ ଗ୍ରାମ ରସଡୁମେର ବାସଭବନରେ ପରଲୋକ ହୋଇଛନ୍ତି। ନାଟ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ଥିଲା ଅତୁଳନୀୟ, ଘୁମୁରା ଗୀତିକାର ଭାବେ ମଧ୍ୟ ଅନେକ ଗୀତ ରଚନା କରି ନିଜର ଛାପ ଛାଡି ଯାଇଛନ୍ତି। ନିଜର ସୃଜନଶୀଳତା, ଅଭିନୟ ଓ ନିର୍ଦ୍ଦେଶନା ମାଧ୍ୟମରେ ସେ କଳାହାଣ୍ଡିର ନାଟ୍ୟ ପରମ୍ପରାକୁ ଏକ ସ୍ୱତନ୍ତ୍ର ପରିଚୟ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ତାଙ୍କ ନାଟକ ଓ ନାଟ୍ୟକଳା ପ୍ରତି ଥିବା ନିଷ୍ଠା ଅନେକ କଳାକାରଙ୍କୁ ପ୍ରେରଣା ଯୋଗାଇଥିଲା। ତାଙ୍କର ବିୟୋଗ କେବଳ ତାଙ୍କ ପରିବାର ପାଇଁ ନୁହେଁ, ବରଂ ସମଗ୍ର କଳାହାଣ୍ଡିର ନାଟ୍ୟ ଜଗତ ଏବଂ ବଙ୍କା ସମାଜ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇବା ସହ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରାଯାଇଛି।ନାଟ୍ୟକାର ନୀଳାଞ୍ଚଳ ଲେଞ୍ଜିଆଙ୍କ ସୃଜନଶୀଳ ଅବଦାନ ସବୁଦିନ କଳାହାଣ୍ଡିର ନାଟ୍ୟ ଜଗତରେ ସ୍ମରଣୀୟ ହୋଇ ରହିବ।
