ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ସୌମ୍ୟରଞ୍ଜନ ପାତ୍ର) : ଗୋଟିଏ ପଟେ ହାତୀ ଆତଙ୍କର କରାଳ ଛାୟା, ଅନ୍ୟପଟେ ଘୋର ଅନ୍ଧାରସାଙ୍ଗକୁ ପାନୀୟ ଜଳର ତୀବ୍ର ସଙ୍କଟ। ବୋଝ ଉପରେ ନଳିତା ବିଡ଼ା ଭଳି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକରୁ ଆସିଛି ଏପରି ଏକ ଚିନ୍ତାଜନକ ଓ ସଂବେଦନଶୀଳ ଖବର। ମିଳିଥିବା ସୂଚନା ଅନୁଯାୟୀ, ଲାଞ୍ଜିଗଡ଼ ବ୍ଲକ କଦମଗୁଡ଼ା ଗ୍ରାମ ପଞ୍ଚାୟତର କାଠଜାଣିପଦର ଗ୍ରାମଟି ଜଙ୍ଗଲ ନିକଟବର୍ତ୍ତୀ ହୋଇଥିବାରୁ ଏଠାକୁ ପ୍ରାୟତଃ ହାତୀପାଲ ମାଡ଼ି ଆସନ୍ତି। ତେବେ ହାତୀ ଦାଉରୁ ରକ୍ଷା ପାଇବା ଓ କୌଣସି ବିପଦକୁ ଏଡ଼ାଇବା ନାଁରେ ଗାଁର ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରି ଦିଆଯାଇଛି। ତାହା ପୁଣି ଦିନେ କି ଦୁଇଦିନ ନୁହେଁ, ଦୀର୍ଘ ଗୋଟିଏ ମାସ ହେଲା ଗାଁରେ ବିଦ୍ୟୁତ୍ ସଂଯୋଗ ସମ୍ପୂର୍ଣ୍ଣ ବନ୍ଦ ରହିଛି।

ବିଦ୍ୟୁତ୍ କଟାଯିବା ଫଳରେ ଗ୍ରାମବାସୀଙ୍କ ଦୁର୍ଦ୍ଦଶା କେବଳ ଅନ୍ଧାର ମଧ୍ୟରେ ସୀମିତ ହୋଇ ରହିନାହିଁ। ବିଦ୍ୟୁତ୍ ବିଚ୍ଛିନ୍ନ ଯୋଗୁଁ ଗାଁର ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି। ଫଳରେ ସ୍ଥାନୀୟ ଲୋକେ ମୁନ୍ଦାଏ ପାନୀୟ ଜଳ ପାଇଁ ଡହକବିକଳ ହେଉଥିବା ଅଭିଯୋଗ ହୋଇଛି। ଏପଟେ ରାତି ହେଲେ ହାତୀ ଭୟ, ଦିନରେ ଜଳସଙ୍କଟ, ଏଭଳି ଦ୍ୱିମୁଖୀ ଜନ୍ତ୍ରଣା ଭିତରେ ଗ୍ରାମବାସୀ ଏବେ ଦିନ କାଟୁଛନ୍ତି। ବନ୍ୟପ୍ରାଣୀ ଓ ହାତୀଙ୍କ ସୁରକ୍ଷା ନିଶ୍ଚିତ ଭାବେ ଜରୁରୀ, ହେଲେ ଏଥିପାଇଁ ଗୋଟିଏ ଗାଁର ମୌଳିକ ଅଧିକାର ଓ ମାନବୀୟ ସମସ୍ୟାକୁ ଅଣଦେଖା କରାଯିବା କେତେଦୂର ଯୁକ୍ତିଯୁକ୍ତ? ଜିଲ୍ଲା ପ୍ରଶାସନ, ବନ ବିଭାଗ ଓ ବିଦ୍ୟୁତ୍ ବିଭାଗ ତୁରନ୍ତ ଏହି ଗମ୍ଭୀର ସମସ୍ୟା ପ୍ରତି ଦୃଷ୍ଟି ଦେଇ ଗାଁକୁ ବିଦ୍ୟୁତ୍ ଯୋଗାଣ ସହ ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି।
