ଶ୍ରମିକଙ୍କ ସରକାରୀ ସୁବିଧା ନେଇ ସଚେତନତା କାର୍ଯ୍ୟକ୍ରମ

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଜେ.ଏମ୍.ଏଫ୍.ସି ପରିସରରେ ଅଞ୍ଚଳର ଶ୍ରମିକ ସଂଗଠନକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ତଥା ଜେ.ଏମ୍.ଏଫ୍.ସି ଡକ୍ଟର ତାରିଣୀ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ବ୍ଲକ ଶ୍ରମ ଅଧିକାରୀ ସତ୍ୟବ୍ରତ ଧଳ ଓ ତାଙ୍କ ସହଯୋଗୀମାନେ ଯୋଗଦେଇ ଶ୍ରମିକମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଉପଲବ୍ଧ ବିଭିନ୍ନ ସୁବିଧା ଓ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନ କରିଥିଲେ। ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ମିଳୁଥିବା ବିଭିନ୍ନ ସୁବିଧା ପାଇବା ପାଇଁ ଶ୍ରମିକମାନଙ୍କର ଶ୍ରମ ବିଭାଗରେ ନାମ ପଞ୍ଜିକରଣ ଜରୁରୀ ବୋଲି ଅଧିକାରୀମାନେ କହିଥିଲେ। ସଂଗଠିତ ଓ ଅଣସଂଗଠିତ ଶ୍ରମିକଙ୍କ ପାଇଁ ସରକାର ବିଭିନ୍ନ କଲ୍ୟାଣମୂଳକ ଯୋଜନା କରିଥିବା ସୂଚନା ଦିଆଯାଇଥିଲା। ସଂଗଠିତ ଶ୍ରମିକଙ୍କ ପାଇଁ ଷଷ୍ଠ ଶ୍ରେଣୀରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ଶିକ୍ଷା ସହାୟତା ଭାବେ ୨ ହଜାରରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା, ସ୍ୱାଭାବିକ ମୃତ୍ୟୁରେ ୩ ଲକ୍ଷ ଓ ଦୁର୍ଘଟଣାଜନିତ ମୃତ୍ୟୁରେ ୬ ଲକ୍ଷ ଟଙ୍କା, ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ୫ ହଜାର ଟଙ୍କା, କନ୍ୟା ବିବାହ ପାଇଁ ୫୦ ହଜାର ଟଙ୍କା ଏବଂ ପ୍ରସୂତିକାଳୀନ ସହାୟତା ଭାବେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତାର ପ୍ରାବଧାନ ଥିବା କୁହାଯାଇଥିଲା। ସେହିପରି ଅଣସଂଗଠିତ ଶ୍ରମିକଙ୍କ ପାଇଁ ଦୁର୍ଘଟଣାଜନିତ ମୃତ୍ୟୁରେ ୪ ଲକ୍ଷ ଟଙ୍କା, ସ୍ୱାଭାବିକ ମୃତ୍ୟୁରେ ୨ ଲକ୍ଷ ଟଙ୍କା, ଦୁର୍ଘଟଣାଜନିତ ସମ୍ପୂର୍ଣ୍ଣ ଅକ୍ଷମତାରେ ୧ ଲକ୍ଷ ୫୦ ହଜାର ଟଙ୍କା, ଦୁଇଟି ଅଙ୍ଗର ଆଂଶିକ ଅକ୍ଷମତାରେ ୮୦ ହଜାର ଟଙ୍କା ଏବଂ ଗୋଟିଏ ଅଙ୍ଗର ଅକ୍ଷମତାରେ ୪୦ ହଜାର ଟଙ୍କା ସହାୟତାର ବ୍ୟବସ୍ଥା ରହିଥିବା ଅଧିକାରୀ ସୂଚନା ଦେଇଥିଲେ। ପ୍ରାୟ ୬୦ ପ୍ରକାର ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ୧୮ରୁ ୬୦ ବର୍ଷ ବୟସର ଶ୍ରମିକମାନେ ଏହି ସୁବିଧା ପାଇବା ପାଇଁ ଆବଶ୍ୟକ କାଗଜପତ୍ର ଆଧାରରେ ଶ୍ରମ ବିଭାଗରେ ପଞ୍ଜିକରଣ କରିବା ଆବଶ୍ୟକ ବୋଲି କୁହାଯାଇଥିଲା। ଏଥିସହ ଜିଲ୍ଲା କିମ୍ବା ଅନ୍ୟ ରାଜ୍ୟକୁ କାମ ପାଇଁ ଯିବା ପୂର୍ବରୁ ଶ୍ରମ ବିଭାଗକୁ ନିଜ ସମ୍ପର୍କିତ ସଠିକ୍ ତଥ୍ୟ ପ୍ରଦାନ କରିବାକୁ ଶ୍ରମିକମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ କର୍ତ୍ତବ୍ୟ ଅନୁଷ୍ଠାନର ସଂଯୋଜକ ସୁଦର୍ଶନ ନାଏକ ଉପସ୍ଥିତ ରହି ଶ୍ରମିକମାନଙ୍କୁ ସଚେତନ କରିବା ଦିଗରେ ଅନୁଷ୍ଠାନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ମତ ପ୍ରକାଶ କରିଥିଲେ। ଜେ.ଏମ୍.ଏଫ୍.ସିର ବରିଷ୍ଠ କିରାଣୀ ଅଶୋକ କୁମାର ସାହୁ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

Leave a Reply

Your email address will not be published. Required fields are marked *