ଜମି ଜମା ବିବାଦରୁ ପିଉସାଙ୍କୁ ମାରି ଜଙ୍ଗଲରେ ପୋଡ଼ି ଦେବା ଘଟଣା , ଦୁଇ ପୁତୁରାଙ୍କୁ ଗିରଫ କଲା ପୋଲିସ

ଦାରିଙ୍ଗବାଡ଼ି/କ୍ରାନ୍ତିକ୍ଷତ୍ର : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ ପିଇସା ଓ ଦୁଇ ପୁତୁରା। ପୈତୃକ ଜମିବାଡ଼ିକୁ କେନ୍ଦ୍ର କରି ବଚସା ହୋଇଥିଲା। ଉଭ୍ୟକ୍ତ ଦୁଇ ପୁତୁରା ପିଇସାଙ୍କ ମୁଣ୍ଡକୁ କାଠଫାଳିଆରେ ନିର୍ଘାତ ପାହାର ପକାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଗତ ୧୩ ତାରିଖରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଧୀନ ସିକନବାଡ଼ି ଗାଁ ନିକଟ ଜଙ୍ଗଲରେ ଏଭଳି ଅଭାବନୀୟ ଘଟଣା ଘଟିଛି। ହତ୍ୟାର ଶିକାର ହୋଇଛନ୍ତି ସିକନବାଡ଼ି ଗାଁର ମିଶ୍ର ପ୍ରଧାନ(୪୫) । ଦୁଇ ପୁତୁରା (ସମ୍ପର୍କୀୟ ଦୁଇ ଭାଇ) ସଞ୍ଜୟ ଦିଗାଲ (୨୩) ଓ ସିଦ୍ଧାନ୍ତ ଦିଗାଲ (୨୨)ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି। ଦାରିଙ୍ଗବାଡ଼ି ଥାନା ଅଧୁକାରୀ ସଂଗ୍ରାମ କେଶରୀ ଜେନା ଏନେଇ ସୂଚନା ଦେଇଛନ୍ତି। ବ୍ରହ୍ମପୁର ସାଇଣ୍ଟିଫିକ୍ ଟିମ୍ ହାଡ଼, ପାଉଁଶ ଜବତ କରିଛି। ଥାନା ଅଧିକାରୀଙ୍କ ସୂଚନା ଅନୁସାରେ, ଗତ ୧୩ ତାରିଖ ସକାଳେ ପିଇସା ମିଶ୍ର ଏବଂ ପୁତୁରା ସଞ୍ଜୟ ଓ ସିଦ୍ଧାନ୍ତ ସିକନବାଡ଼ି ଗାଁଠାରୁ କିଛି ଦୂରରେ ଥିବା ଏକ ଜଙ୍ଗଲକୁ କାଠ ପାଇଁ ଯାଇଥିଲେ। ଜଙ୍ଗଲ ମଧ୍ୟରେ କଥା ହେବା ଭିତରେ ପୈତୃକ ଜମିବାଡ଼ି ବିବାଦକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା। ପାହାଡ଼ ଚଢ଼ିବା ସାଙ୍ଗକୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ସହ ମାରପିଟ୍ ପର୍ଯ୍ୟନ୍ତ କଥା ଯାଇଥିଲା।ଏଥିରେ ରାଗି ଯାଇ ଦୁଇ ଭାଇ କାଠ ଫାଳିଆରେ ପିଇସାଙ୍କ ମୁଣ୍ଡକୁ ବାରମ୍ବାର ପାହାର ପକାଇଥିଲେ। ତିନି, ଚାରି ପାହାର ପରେ ପିଇସା ସେଠାରରେ ଆଖି ବୁଜି ଦେଇଥିଲେ। ସେଠାରେ ତାଙ୍କୁ ଡାଳ, ପତ୍ର, ଲଟାବୁଦା ଘୋଡ଼ାଇ ଘରକୁ ପଳାଇ ଆସିଥିଲେ। ଘଟଣାକୁ ଲୁଚାଇବାକୁ ଯାଇ ଦୁଇ ଭାଇ ପୋଡ଼ି ଦେବାକୁ ଯୋଜନା କରିଥିଲେ । ଏନେଇ ପୁଣି ସନ୍ଧ୍ୟାରେ ଜଙ୍ଗଲକୁ ଯାଇଥିଲେ। କାଠ ସଂଗ୍ରହ କରି ମୃତଦେହ ପୋଡ଼ି ଦେଇଥିଲେ । ସକାଳ ହେବା ପୂର୍ବରୁ ଘରକୁ ଫେରି ଆସିଥିଲେ। ସେପଟେ ପୂର୍ବରୁ ମିଶ୍ର ପ୍ରଧାନଙ୍କ ପତ୍ନୀ ସମ୍ପର୍କୀୟଙ୍କ ଘରକୁ ଯାଇଥିବାରୁ କେହି ଖୋଜାଖୋଜି କରି ନ ଥିଲେ। କୌଣସି ସୁତ୍ରରୁ ପୁଲିସ ଖବର ପାଇଥିଲା ଜଙ୍ଗଲରେ ଜଣଙ୍କୁ ମାରି ପୋଡ଼ି ଦିଅଯାଇଛି। ଏନେଇ ପୁଲିସ ନିଜେ ମାମଲା ରୁଜୁ କରି ତଦନ୍ତ କରିଥିଲା। ୧୪ ତାରିଖରେ ଜଙ୍ଗଲରେ ଛାନ୍‌ଭିନ୍ କରିବା ପରେ ଜଣଙ୍କୁ ପୋଡ଼ି ଦିଆଯାଇଥିବା ଜାଣିବାକୁ ପାଇଥିଲା। ତଦନ୍ତରେ ଦୁଇ ଭାଇଙ୍କ ସମ୍ପୃକ୍ତି ନେଇ ସନ୍ଦେହ ହୋଇଥିଲା। ବ୍ରହ୍ମପୁର ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ହାଡ଼, ପାଉଁଶ ଜବତ କରିଛି। ୧୫ ତାରିଖରେ ପୁଲିସ ଦୁଇ ପୁତୁରାଙ୍କୁ ଗିରଫ କରିବାକୁ ସିକନବାଡ଼ି ଗାଁରେ ପହଞ୍ଚି ଥିଲା। ମାତ୍ର କାହାକୁ ପାଇନଥିଲା । ସିକନବାଡ଼ି ଗାଁ ନିକଟ ଜଙ୍ଗଲରେ ସଞ୍ଜୟ ଓ ସିଦ୍ଧାନ୍ତ ଥ‌ିବା ଜାଣିପାରି ପୁଲିସ ଚଢ଼ଉ କରି ଉଭୟଙ୍କୁ ଗିରଫ କରିଛି। ହତ୍ୟା କରି ଜଙ୍ଗଲରେ ପୋଡ଼ି ଦେଇଥ‌ିବା ପୁଲିସ ଆଗରେ ଉଭୟ ସ୍ଵୀକାର କରିଥିବା କହି ଥ‌ିବା ଥାନାଧିକାରୀଙ୍କ ସୂଚନା ଦେଇଛନ୍ତି। ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ ପୁଲିସ ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *