ଥୁଆମୂଳ ରାମପୁରର କୁନା ଓ ସୁଜାନ ହେଲେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ଉପସଭାପତି

ଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର : ବିଜେପିର ଯୁବ ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ କରିବା ଲକ୍ଷ୍ୟରେ କଳାହାଣ୍ଡି ଜିଲ୍ଲା ଯୁବମୋର୍ଚ୍ଚାର ନୂତନ ପଦାଧିକାରୀ ଓ କାର୍ଯ୍ୟକାରିଣୀ ଘୋଷଣା କରାଯାଇଛି। ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଏବଂ କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଢ଼ଙ୍କ ଅନୁମୋଦନ କ୍ରମେ ନୂତନ ପଦାଧିକାରୀ, କାର୍ଯ୍ୟକାରିଣୀ ସଦସ୍ୟ, ବିଭିନ୍ନ ପ୍ରକୋଷ୍ଠର ସଂଯୋଜକ ଓ ନିମନ୍ତ୍ରିତ ସଦସ୍ୟଙ୍କ ନାମ ଘୋଷିତ ହୋଇଛି। ଏହି ନୂତନ ତାଲିକାରେ ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଥୁଆମୂଳ ରାମପୁର ବ୍ଲକର ଦୁଇ ଯୁବନେତା କୁନା ପାତ୍ର ଓ ସୁଜାନ କୁମାର ନାଏକଙ୍କୁ ଜିଲ୍ଲା ଯୁବମୋର୍ଚ୍ଚାର ଉପସଭାପତି ଭାବେ ମନୋନୀତ କରାଯାଇଛି। ଉଭୟଙ୍କୁ ବ୍ଲକର ଦୁଇଟି ମଣ୍ଡଳରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିଥିବାରୁ ଥୁଆମୂଳ ରାମପୁର ବିଜେପି ସଂଗଠନରେ ଉତ୍ସାହ ପ୍ରକାଶ ପାଇଛି। କୁନା ପାତ୍ର ବିଜେପିର ଜଣେ ସକ୍ରିୟ ସଦସ୍ୟ ଭାବେ ଦଳୀୟ ସଂଗଠନରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଜିଲ୍ଲା ନେତୃତ୍ୱ ମଧ୍ୟରେ ଜଣେ ଯୁବ ସଂଗଠକ ଭାବେ ପରିଚିତ ହୋଇଛନ୍ତି। ଦଳୀୟ କାର୍ଯ୍ୟକ୍ରମରେ ସକ୍ରିୟ ଭାଗୀଦାରି ସହ ତୃଣମୂଳ ସ୍ତରରେ ସଂଗଠନକୁ ମଜବୁତ କରିବାରେ ତାଙ୍କ ଭୂମିକା ରହିଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି। ସେହିପରି ସୁଜାନ କୁମାର ନାଏକ ଛାତ୍ର ଜୀବନରୁ ବିଜୁ ଜନତା ଦଳ ସହ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରି ଦଳୀୟ ସଂଗଠନରେ ବିଭିନ୍ନ ଦାୟିତ୍ୱ ତୁଲାଇଥିଲେ। ପରବର୍ତ୍ତୀ ସମୟରେ ସେ ବିଜେପିରେ ଯୋଗଦେଇ ଜିଲ୍ଲା ଓ ରାଜ୍ୟ ନେତୃତ୍ୱ ସମ୍ମୁଖରେ ନିଜର ସାଂଗଠନିକ ଦକ୍ଷତା ପ୍ରତିପାଦନ କରିଥିବା ଦଳୀୟ ସୂତ୍ରରୁ ପ୍ରକାଶ। ଦୁଇ ଯୁବନେତାଙ୍କୁ ଜିଲ୍ଲା ଯୁବମୋର୍ଚ୍ଚାରେ ଉପସଭାପତି ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବା ପରେ ଥୁଆମୂଳ ରାମପୁର ବ୍ଲକ ବିଜେପିରେ ନୂଆ ଉତ୍ସାହ ସୃଷ୍ଟି ହୋଇଛି। ଦୁର୍ଗମ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଯୁବ ସଂଗଠନକୁ ଆହୁରି ସକ୍ରିୟ କରିବା ସହ ଗ୍ରାମସ୍ତରରେ ଦଳର ଉପସ୍ଥିତି ମଜବୁତ କରିବା ଦିଗରେ ଏହି ନିଯୁକ୍ତି ସହାୟକ ହେବ ବୋଲି ଦଳୀୟ ମହଲରେ ଆଶା ପ୍ରକାଶ ପାଇଛି। ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଯୁବମୋର୍ଚ୍ଚାର ନୂତନ ଟିମ୍ ଗଠନକୁ ଦଳର ସାଂଗଠନିକ ରଣନୀତିର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିଜେପି ମହଲରେ ଆଲୋଚନା ହେଉଛି। ବିଶେଷକରି ଥୁଆମୂଳ ରାମପୁର ଭଳି ଦୁର୍ଗମ ଅଞ୍ଚଳରେ ଯୁବ ନେତୃତ୍ୱକୁ ଆଗକୁ ଆଣି ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ କରିବାରେ ଏହି ନୂତନ ଦାୟିତ୍ୱଧାରୀମାନେ ପ୍ରମୁଖ ଭୂମିକା ନେବେ ବୋଲି ଆଶା କରାଯାଉଛି। ଦୁଇ ଯୁବନେତାଙ୍କ ନୂତନ ଦାୟିତ୍ୱକୁ ନେଇ ଥୁଆମୂଳ ରାମପୁର ବ୍ଲକର ବିଜେପି କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିବା ବେଳେ ଆଗାମୀ ଦିନରେ ଏହାର ପ୍ରଭାବ ନିର୍ବାଚନୀ ସଂଗଠନ ଉପରେ କିଭଳି ପଡ଼ୁଛି, ତାହା ଉପରେ ଏବେ ନଜର।

Leave a Reply

Your email address will not be published. Required fields are marked *