ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର-ଭବାନୀପାଟଣା ମୁଖ୍ୟ ରାସ୍ତାର କାଣିଗୁମା ନିକଟରେ ଏକ ନିଳଗିରି କାଠ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ବୁଧବାର ରାତି ପ୍ରାୟ ୯ଟା ୩୦ ମିନିଟ ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣାରେ ଟ୍ରକର ଦୁଇ ଚାଳକ ଆହତ ହୋଇଛନ୍ତି। ଉଭୟଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟ ସ୍ୱରାଜ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି। ଘଟଣା ସମ୍ପର୍କରେ ସୂଚନା ପାଇ ଥୁଆମୂଳ ରାମପୁର ଥାନା ଅଧିକାରୀ ପ୍ରଶାନ୍ତ କୁମାର କୋଲ୍ଲାହୋରସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଥାନା ଅଧିକାରୀଙ୍କ ସୂଚନା ଅନୁସାରେ, ରାସ୍ତା ନିର୍ମାଣ କାମ ଚାଲିଥିବା ବେଳେ ରାସ୍ତା କଡ଼ରେ ପଡ଼ିଥିବା ନୂଆ ମାଟି ଯୋଗୁଁ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ପ୍ରାଥମିକ ଭାବେ ଜଣାପଡ଼ିଛି। ସୂଚନା ମୁତାବକ, ୟୁପି-୯୫-ଟି-୨୫୦୦ ନମ୍ବର ବିଶିଷ୍ଟ ଏହି ଟ୍ରକଟି ରାୟଗଡ଼ା ଜିଲ୍ଲାର କାଶୀପୁର ଅଞ୍ଚଳରୁ ନିଳଗିରି କାଠ ବୋଝେଇ କରି ଭବାନୀପାଟଣା ଦେଇ ଉତ୍ତର ପ୍ରଦେଶ ଯିବାକୁ ଥିଲା। ତେବେ କାଣିଗୁମା ନିକଟରେ ହଠାତ୍ ଭାରସାମ୍ୟ ହରାଇ ଟ୍ରକଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଘଟଣା ପରେ ରାସ୍ତାରେ କିଛି ସମୟ ପାଇଁ ଯାତାୟାତ ପ୍ରଭାବିତ ହୋଇଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ତଦାରଖ କରିଛି। ଦୁର୍ଘଟଣାର ପ୍ରକୃତ କାରଣ ନେଇ ପୁଲିସର ତଦନ୍ତ ଜାରି ରହିଛି।
