କୋକସରା/କ୍ରାନ୍ତିକ୍ଷେତ୍ର : ସାନ୍ ଟୁର ଆଣ୍ଡ ଟ୍ରାଭେଲ୍ସ ର ‘ନ୍ୟୁ ଇଣ୍ଡିଆ’ ନାମକ ଘରୋଇ ବସ୍ କର୍ମଚାରୀଙ୍କ ଦବଙ୍ଗଗିରି ଓ ଯାତ୍ରୀ ଶୋଷଣର ଏକ ଅଭାବନୀୟ ଦୃଶ୍ୟ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଅନ୍ତର୍ଗତ ଆମପାଣି ମୁଖ୍ୟ ଛକ ଜାତୀୟ ରାଜପଥରେ ଦେଖିବାକୁ ମିଳିଛି। ଗନ୍ତବ୍ୟ ସ୍ଥଳ ପାଇଁ ସମ୍ପୂର୍ଣ୍ଣ ଭାଡ଼ା ଦେଇ ଟିକେଟ୍ କାଟିଥିଲେ ବି ପ୍ରବାସୀ ଶ୍ରମିକଙ୍କୁ ଅଧା ବାଟରେ ଓହ୍ଲାଇ ଦେଇଥିଲେ ବସ୍ କର୍ମଚାରୀ।

ଅଭିଯୋଗ ଅନୁସାରେ, ନୂଆପଡ଼ା ଜିଲ୍ଲାର ସିନାପାଲି, ବଲାଙ୍ଗୀରର ବଙ୍ଗୋମୁଣ୍ଡା, ମୁରିବାହାଲ, କେମନା ଏବଂ କଳାହାଣ୍ଡିର ଗୋଲାମୁଣ୍ଡା ଅଞ୍ଚଳର ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକ ଘରକୁ ଫେରିବା ପାଇଁ ହାଇଦ୍ରାବାଦ ସ୍ଥିତ ‘ରାଜଧାନୀ ବସ୍’ କାଉଣ୍ଟରରେ ପହଞ୍ଚିଥିଲେ। ଅଭିଯୋଗ ହୋଇଛି ଯେ, ସେଠାକାର କିଛି ବସ୍ କର୍ମଚାରୀ ଶ୍ରମିକ ମାନଙ୍କୁ ମାଡ଼ ମାରିବା ସହ ନଗଦ ଟଙ୍କା ଓ ଫୋନ୍-ପେ ମାଧ୍ୟମରେ ଜୋରଜବରଦସ୍ତ ଟଙ୍କା ଛଡ଼ାଇ ନେଇଥିଲେ। ଏହାପରେ ସେଠାରେ ଟିକଟ ଧରାଇ ଦେଇ ଉକ୍ତ ବସ୍ ରେ ପଠାଇଥିଲେ। ଅନ୍ୟପଟେ ବସରେ ଆସୁଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପରିବର୍ତ୍ତେ ଆମପାଣିଠାରେ ଓହ୍ଲାଇ ଦେଇ ବସ୍ ଚାଲିଯିବାକୁ ଉଦ୍ୟମ କରିଥିଲା। ଏହାକୁ ନେଇ ଗୁରୁବାର ସକାଳେ ଜାତୀୟ ରାଜପଥରେ ଦିର୍ଘ ସମୟ ଧରି ପ୍ରବଳ ହୋହାଲ୍ଲା ଓ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଆମପାଣି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଯାତ୍ରୀଙ୍କୁ ବୁଝାସୁଝା କରିବା ସହ ବସ୍ଟିକୁ ଜବତ କରି ଥାନାକୁ ଆଣିଥିଲା। ଥାନାରେ ଅନେକ ସମୟ ଧରି ଆଲୋଚନା ପରେ, ଯାତ୍ରୀମାନଙ୍କୁ ସେମାନଙ୍କ ନିଜ ନିଜ ଗନ୍ତବ୍ୟ ସ୍ଥଳରେ ନିରାପଦରେ ଛାଡ଼ିବେ ବୋଲି ବସ୍ କର୍ମଚାରୀମାନେ ଲିଖିତ ପ୍ରତିଶ୍ରୁତି ଦେବା ପରେ ଗାଡ଼ିଟିକୁ ଛଡ଼ାଯାଇଥିଲା। ଅନ୍ୟପଟେ ଜବତ ବସ୍ଟି କୌଣସି ନିୟମିତ ଯାତ୍ରୀବାହୀ ବସ୍ ନଥିଲା, ବରଂ ଏହା ଏକ ‘ଟୁରିଷ୍ଟ ବସ୍’ ଥିଲା। ଟୁରିଷ୍ଟ ବସରେ ନିୟମ ବାହାରେ ଟିକେଟ୍ କାଟି ସାଧାରଣ ଯାତ୍ରୀ ପରିବହନ କରାଯାଉଥିଲେ ବି ପରିବହନ ବିଭାଗ ଓ ପୋଲିସ କିପରି ଆଖି ବୁଜି ଦେଇଛି, ତାହାକୁ ନେଇ ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଜାତୀୟ ରାଜପଥ ଓ ବିଜୁ ଏକ୍ସପ୍ରେସୱେରେ ନିୟମିତ ଗୋଟିଏ କି ଦୁଇଟି ନୁହେଁ, ବେଆଇନ ଭାବେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଟୁରିଷ୍ଟ ବସ୍ ହାଇଦ୍ରାବାଦ ଓ ବେଙ୍ଗାଲୁରୁ ଭଳି ସହରକୁ ଶ୍ରମିକ ନେଇ ଯାତ୍ରୀବାହୀ ବସ୍ ଭଲି ଟିକଟ କାଟି ନିୟମିତ ଚାଲୁଛି। ଏହି ବେଆଇନ କାରବାର ପଛରେ କାହାର ଛାତ୍ରଛାୟା ରହିଛି, ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଅପରପକ୍ଷରେ, ପୋଲିସର ହସ୍ତକ୍ଷେପ ଯୋଗୁଁ ଯାତ୍ରୀମାନେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ବାଟ ବାହାରିଥିଲେ ସୁଦ୍ଧା, ଘରୋଇ ବସ୍ଗୁଡ଼ିକର ଏଭଳି ମନମୁଖୀ କାର୍ଯ୍ୟକଳାପ ସୀମା ପାର୍ କଲାଣି। ବେଆଇନ ଭାବେ ଚାଲୁଥିବା ଏହି ଟୁରିଷ୍ଟ ବସ୍ଗୁଡ଼ିକ ଉପରେ କଡ଼ା ନଜର ରଖିବା ସହ ଶ୍ରମିକଙ୍କୁ ସୁରକ୍ଷା ଯୋଗାଇଦେବାକୁ ଦାବି ହୋଇଛି। ଅନ୍ୟପଟେ ଏତେ ବଡ଼ ନିୟମ ଉଲ୍ଲଂଘନ ସତ୍ତ୍ୱେ ବସ୍ ବିରୋଧରେ କୌଣସି ଚାଲାଣ କଟା ନଯାଇ ଗାଡ଼ିଟିକୁ ଛାଡ଼ି ଦିଆଯିବା ଆମପାଣି ପୋଲିସର ଭୂମିକା ପ୍ରତି ସନ୍ଦେହ ସୃଷ୍ଟି କରିଛି।
