କଣ୍ଟାମାଳ/କ୍ରାନ୍ତିକ୍ଷେତ୍ର (ମନଧରକର୍ମୀ) : ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସମାଜସେବୀ ତଥା ବିଜେପିର ସକ୍ରିୟ କର୍ମୀ ସୁନାଧର ମଲିକଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ମନମୁଣ୍ଡା ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ସୁନାଧରଙ୍କ ପ୍ରାଣ ଚାଲିଯାଇଥିବା ବେଳେ ତାଙ୍କ ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ ନିଜ ଗ୍ରାମ ଲମ୍ବସରି ପଞ୍ଚାୟତ ଅଧୀନ ଗୁହୁରିଆପାଲି ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବୌଦ୍ଧ ଜିଲ୍ଲାର ବିଜେପି ମହଳରେ ମଧ୍ୟ ଶୋକ ପ୍ରକାଶ ପାଇଛି। ସୁନାଧର ମଲିକ ଅଞ୍ଚଳରେ ଜଣେ ସମାଜସେବୀ ଭାବେ ପରିଚିତ ଥିବା ସହ ବିଜେପିର ଜଣେ ସକ୍ରିୟ କର୍ମୀ ଭାବେ ଦଳୀୟ ସଂଗଠନ ସହ ଜଡ଼ିତ ଥିଲେ। ତାଙ୍କ ଅକାଳ ବିୟୋଗରେ ଦଳୀୟ ସହଯୋଗୀ, ବନ୍ଧୁବର୍ଗ, ପରିଚିତ ଓ ଅଞ୍ଚଳବାସୀ ଗଭୀର ମର୍ମାହତ ହୋଇଛନ୍ତି। ଜଣେ ସକ୍ରିୟ ସମାଜସେବୀ ଓ ରାଜନୈତିକ କର୍ମୀଙ୍କ ଏଭଳି ଅକାଳ ବିୟୋଗ ଅଞ୍ଚଳ ପାଇଁ ଏକ ବଡ଼ କ୍ଷତି ବୋଲି ବିଭିନ୍ନ ମହଲରେ ଶୋକପ୍ରକାଶ କରାଯାଇଛି। ପରିବାରବର୍ଗଙ୍କ ସମେତ ସମଗ୍ର ଗୁହୁରିଆପାଲି ଓ ବିଜେପି କର୍ମୀମହଳ ମଧ୍ୟରେ ଏବେ ଶୋକର ପରିବେଶ ସୃଷ୍ଟି ହୋଇଛି।
