ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ସୌମ୍ୟରଞ୍ଜନ ପାତ୍ର) : ଗ୍ରାମାଞ୍ଚଳରୁ ବାହାରି କ୍ରିକେଟ ପିଚ୍ରେ ନିଜ ପ୍ରତିଭାର ଛାପ ଛାଡ଼ିଛନ୍ତି କୋକସରା ବ୍ଲକ ଖପରାମାଲ ଗ୍ରାମର ଉଦୀୟମାନ ଖେଳାଳି ସାନଭିପ୍ରଜ୍ଞା ରାଉତ। ମୋହିତ ରାଉତ ଓ ରଶ୍ମିରେଖା ରାଉତଙ୍କ ସୁପୁତ୍ରୀ ସାନଭିଙ୍କୁ ୧୫ ବର୍ଷରୁ କମ୍ କଳାହାଣ୍ଡି ଜିଲ୍ଲା ମହିଳା କ୍ରିକେଟ ଦଳରେ ଚୟନ କରାଯାଇଛି। ମହିଳା କ୍ରିକେଟ ଚୟନ କମିଟି ପକ୍ଷରୁ ତାଙ୍କର କ୍ରୀଡ଼ା ପ୍ରତିଭାକୁ ସ୍ୱୀକୃତି ଦେଇ ଏହି ବଡ଼ ସୁଯୋଗ ପ୍ରଦାନ କରାଯାଇଛି। ଆସନ୍ତା ୨୨ ଅଗଷ୍ଟ ୨୦୨୬ ରୁ କଟକଠାରେ ଅନୁଷ୍ଠିତ ହେବାକୁ ଥିବା ୧୫ ବର୍ଷରୁ କମ୍ ମହିଳା କ୍ରିକେଟ୍ ମ୍ୟାଚ୍ରେ ସାନଭି କଳାହାଣ୍ଡି ଜିଲ୍ଲା ପକ୍ଷରୁ ମୈଦାନକୁ ଓହ୍ଲାଇବେ। ଏଥିପାଇଁ ତାଙ୍କୁ ୨୧ ଅଗଷ୍ଟରେ ରିପୋର୍ଟ କରିବାକୁ କୁହାଯାଇଥିବା ବେଳେ ଐତିହାସିକ ବାରବାଟୀ ଷ୍ଟାଡିୟମ୍ରେ ତାଙ୍କ ରହିବାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସାନଭିଙ୍କ ଏହି ସଫଳତା ପରେ ଖପରାମାଲ ଗ୍ରାମ ସମେତ ସମଗ୍ର କୋକସରା ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି। ତାଙ୍କର ଏହି ସଫଳତା ପାଇଁ ପରିବାରବର୍ଗ, କୋଚ୍, ବନ୍ଧୁପରିଜନ ଓ ସ୍ଥାନୀୟ କ୍ରୀଡ଼ାପ୍ରେମୀମାନେ ଶୁଭେଚ୍ଛା ଜଣାଇଛନ୍ତି। ସାନଭିଙ୍କ ଏହି ଯାତ୍ରା ଗ୍ରାମାଞ୍ଚଳର ଅନ୍ୟ ଯୁବ ପ୍ରତିଭା, ବିଶେଷ କରି ଝିଅମାନଙ୍କୁ କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଏକ ନୂତନ ପ୍ରେରଣା ଯୋଗାଇବ ବୋଲି ସାଧାରଣରେ ଆଲୋଚନା ହେଉଛି।
