କଣ୍ଟାମାଳରେ ଗ୍ରାମୋଦୟ ଅଭିଯାନରେ କ୍ରୀଡ଼ା ଉପକରଣ ବଣ୍ଟନ

କଣ୍ଟାମାଳ/କ୍ରାନ୍ତିକ୍ଷେତ୍ର (ମନଧରକର୍ମୀ) : ଗ୍ରାମାଞ୍ଚଳରେ କ୍ରୀଡ଼ା ପ୍ରତିଭାର ବିକାଶ ସହ ଯୁବପିଢ଼ିଙ୍କୁ କ୍ରୀଡ଼ା କ୍ଷେତ୍ରରେ ଆଗେଇ ଆଣିବା ଲକ୍ଷ୍ୟରେ କଣ୍ଟାମାଳରେ ଗ୍ରାମୋଦୟ ଅଭିଯାନ ଅନ୍ତର୍ଗତ କ୍ରୀଡ଼ା ଉପକରଣ ବଣ୍ଟନ କରାଯାଇଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମୁଖ୍ୟାଳୟସ୍ଥିତ କଲେଜ ପଡ଼ିଆରେ ଆୟୋଜିତ ଏହି କ୍ରୀଡ଼ା ଉପକରଣ ବଣ୍ଟନ ସମାରୋହରେ ୧୧ଟି ଆଦିବାସୀ ଅଧ୍ୟୁଷିତ ତଥା ପୂର୍ବତନ ମାଓ ପ୍ରଭାବିତ ଗ୍ରାମର ସ୍ପୋର୍ଟସ୍ କ୍ଲବ ଗୁଡ଼ିକୁ ବିଭିନ୍ନ କ୍ରୀଡ଼ା ସାମଗ୍ରୀ ପ୍ରଦାନ କରାଯାଇଛି। ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ଉଦ୍ୟମକ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ କ୍ରୀଡ଼ା ସାମଗ୍ରୀ ବଣ୍ଟନ କରାଯାଇଥିଲା। ଗ୍ରାମାଞ୍ଚଳର ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ବଢ଼ାଇବା, ଲୁକ୍କାୟିତ କ୍ରୀଡ଼ା ପ୍ରତିଭାକୁ ଚିହ୍ନଟ କରିବା ଓ ଯୁବଶକ୍ତିକୁ ସକାରାତ୍ମକ ଦିଗରେ ନିୟୋଜିତ କରିବା ଏହି ପଦକ୍ଷେପର ପ୍ରମୁଖ ଉଦ୍ଦେଶ୍ୟ ବୋଲି କୁହାଯାଇଛି। ଅଲିକୁଦ, ବୁଢ଼ାଖୋଲ, ଡୁଙ୍ଗୁରିପାଲି, ଗଦଗଦି, କନ୍ଧପାଲି, କାନୀସିମେଲ, ଖଲିଆପାଲି, ଲେନ୍ଦ୍ରିମାଲ, ମାତାକୁପା, ପାଢ଼େଲ ଓ ଉତୁରଲା ଏହି ୧୧ଟି ଗ୍ରାମର ସ୍ପୋର୍ଟସ୍ କ୍ଲବକୁ ବିଭିନ୍ନ ପ୍ରକାର କ୍ରୀଡ଼ା ଉପକରଣ ପ୍ରଦାନ କରାଯାଇଥିଲା। କ୍ରିକେଟ, ଫୁଟବଲ, ଭଲିବଲ, ବ୍ୟାଡମିଣ୍ଟନ, ଚେସ୍, କ୍ୟାରମ୍ ଆଦି ଖେଳ ପାଇଁ ଆବଶ୍ୟକ ସାମଗ୍ରୀ ମିଳିବା ପରେ ସ୍ଥାନୀୟ ଯୁବ କ୍ରୀଡ଼ାବିତଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିଲା। ସମାରୋହରେ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡମ୍ବରୁଧର କହଁର ଓ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ ଅତିଥି ଭାବେ ଯୋଗଦେଇ କ୍ରୀଡ଼ାବିତ୍ ଓ ଯୁବକ-ଯୁବତୀମାନଙ୍କୁ ଉତ୍ସାହିତ କରିଥିଲେ। ଅତିଥିମାନେ ବିଭିନ୍ନ ସ୍ପୋର୍ଟସ୍ କ୍ଲବର ପ୍ରତିନିଧିମାନଙ୍କୁ କ୍ରୀଡ଼ା ସାମଗ୍ରୀ ପ୍ରଦାନ କରିବା ସହ ଗ୍ରାମାଞ୍ଚଳରୁ ଅଧିକରୁ ଅଧିକ ଯୁବ ପ୍ରତିଭା କ୍ରୀଡ଼ା କ୍ଷେତ୍ରକୁ ଆସିବାକୁ ଆହ୍ୱାନ ଦେଇଥିଲେ। କ୍ରୀଡ଼ା ଉପକରଣ ବଣ୍ଟନ ସହ ଏହି ଅବସରରେ ଏକ ଚିତ୍ତାକର୍ଷକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍ ମଧ୍ୟ ଅନୁଷ୍ଠିତ ହୋଇଥିଲା। କଣ୍ଟାମାଳ କଲେଜ ପଡ଼ିଆରେ ଅନୁଷ୍ଠିତ ରୋମାଞ୍ଚକର ମ୍ୟାଚ୍‌ରେ ସ୍ପୋର୍ଟସ୍ କ୍ଲବ୍ ମାତାକୁପା ୨–୦ ଗୋଲରେ ସ୍ପୋର୍ଟସ୍ କ୍ଲବ୍ ଲେନ୍ଦ୍ରିମାଲକୁ ପରାସ୍ତ କରି ବିଜୟୀ ହୋଇଥିଲା। ମ୍ୟାଚ୍‌କୁ ନେଇ ପଡ଼ିଆରେ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା ଏହି ଅବସରରେ ବିଶିଷ୍ଟ କ୍ରୀଡ଼ା ସଂଗଠକ ସୁଦାମ ଚରଣ ମିଶ୍ର, ପୂର୍ବତନ ଫୁଟବଲ୍ ଖେଳାଳି ସଦାଶିବ ମହାନନ୍ଦ, ଅନୁରାଗ ସାହୁ, ବିକାଶ ସେଠୀ ଓ ରମାକାନ୍ତ କହଁରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ରେଫରି ବିକାଶ ସାହୁ, ସୁଜିତ୍ ଖଟୁଆ ଓ ଗୌରବ ସୁନାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଜିଲ୍ଲା କ୍ରୀଡ଼ା ଅଧିକାରୀ ଜ୍ୟୋତି ରଞ୍ଜନ ଭୁଏ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା କାର୍ଯ୍ୟକ୍ରମର ସମନ୍ୱୟ ଓ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମରେ ସାମ୍ବାଦିକ ପ୍ରତାପ କୁମାର ସାହୁ, ଜୟ କୁମାର ମହାରଣା, ବିଶ୍ୱାମିତ୍ର ପାଢ଼ୀ, ଦିବ୍ୟ ଶଙ୍କର ରାଉତଙ୍କ ସମେତ ବହୁ ସାମ୍ବାଦିକ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ସମାରୋହରେ ବହୁ ସଂଖ୍ୟାରେ କ୍ରୀଡ଼ାବିତ୍, ଯୁବକ-ଯୁବତୀ ଓ କ୍ରୀଡ଼ାପ୍ରେମୀ ଉପସ୍ଥିତ ଥିଲେ। ଗ୍ରାମାଞ୍ଚଳରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଯୁବ ପ୍ରତିଭାଙ୍କୁ ଉପଯୁକ୍ତ ସୁଯୋଗ ଓ ପ୍ରୋତ୍ସାହନ ଦେବା ଦିଗରେ ଗ୍ରାମୋଦୟ ଅଭିଯାନର ଏହି ପଦକ୍ଷେପକୁ ସ୍ୱାଗତ କରାଯାଇଛି। ଏଭଳି କାର୍ଯ୍ୟକ୍ରମ ନିୟମିତ ଭାବେ ଜାରି ରହିଲେ ବୌଦ୍ଧ ଜିଲ୍ଲାର ଦୁର୍ଗମ ଓ ଗ୍ରାମାଞ୍ଚଳରୁ ଅନେକ ପ୍ରତିଭାବାନ କ୍ରୀଡ଼ାବିତ୍ ରାଜ୍ୟ ଓ ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇପାରିବେ ବୋଲି ଉପସ୍ଥିତ ଅତିଥି ଓ କ୍ରୀଡ଼ାପ୍ରେମୀମାନେ ମତବ୍ୟକ୍ତ କରିଥିଲେ।

Leave a Reply

Your email address will not be published. Required fields are marked *