ହାତୀ ନଦୀରେ ବନ୍ୟା, ଦୁଇଦିନ ଲଗାଣ ବର୍ଷାରେ ବେହାଲ କଲମପୁର ଅଞ୍ଚଳ , ଜଳବନ୍ଦୀରେ ବାଲିଛଡ଼ା ଗାଁ

କଲମପୁର/କ୍ରାନ୍ତିକ୍ଷେତ୍ର, (ଗଣେଶରାମ ବାଗ) : ଦୁଇଦିନ ଲଗାଣ ବର୍ଷା ତଥା ମଙ୍ଗଳପୁର ବ୍ୟାରେଜରୁ ଜଳ ଛଡାଯିବା ଯୋଗୁଁ ହାତୀନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। ଅଞ୍ଚଳରେ ପ୍ରବଳ ଅବିରତ ବର୍ଷା ହେଉଥିବାରୁ ମଙ୍ଗଳପୁର ସ୍ଥିତ ହାତୀ ବ୍ୟାରେଜରୁ ପ୍ରତି ସେକେଣ୍ଡରେ ପ୍ରାୟ ୪୧୨ କ୍ୟୁମେକ୍ସ ଜଳ ନିଷ୍କାସନ କରାଯାଉଛି। ଏହାକୁ ନେଇ କଲମପୁର ବ୍ଲକର ହାତୀ ନଦୀ ଉପକୂଳବର୍ତ୍ତୀ ଅଞ୍ଚଳରେ ବନ୍ୟା ଦେଖାଦେଇଛି। ସେଥି ମଧ୍ୟରେ ବିରିପୁର, କର୍ମେଲ , ପରୁଆଗୁଡ଼ା, ବୋଦେଲବନ୍ଧ, ଟେମରା , ଖଣ୍ଡି ଡଙ୍ଗରିଗୁଡ଼ା ଓ ବାଲିଛଡ଼ା ସମେତ ବିଭିନ୍ନ ତଳିଆ ଅଞ୍ଚଳ ଉପରେ ପ୍ରଶାସନ ନଜର ରଖିଛି। ପରୁଆଗୁଡ଼ା ଓ ବୋଦେଲବନ୍ଧ ଅଞ୍ଚଳ ପାଣି ଘେରରେ ଆସିବା ପରେ ସେଠାକାର ଲୋକଙ୍କୁ ସୁରକ୍ଷା ଦୃଷ୍ଟିରୁ ସ୍ଥାନାନ୍ତର କରାଯିବା ସହ ରନ୍ଧା ଖାଦ୍ୟ ଦିଆଯାଇଛି। ପରୁଆଗୁଡ଼ା ଅଞ୍ଚଳର ପ୍ରାୟ ୨୦୦ ଜଣଙ୍କୁ ପରୁଆଗୁଡ଼ା ଆଶ୍ରମ ସ୍କୁଲରେ ରଖାଯାଇଛି। ସେଠାରେ ସେମାନଙ୍କ ପାଇଁ ରନ୍ଧା ଖାଦ୍ୟ ଓ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି। ସେହିପରି ବୋଦେଲବନ୍ଧ ଅଞ୍ଚଳର ଲୋକଙ୍କୁ ସ୍କୁଲରେ ଆଶ୍ରୟ ଦିଆଯାଇଥିବା ବେଳେ ସେଠାରେ ମଧ୍ୟ ରୋଷେଇ କରି ଖାଦ୍ୟ ଯୋଗାଣ କରାଯାଉଛି। ପରିସ୍ଥିତିର ତଦାରଖ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ବିଜୟ କୁମାର ମାଣ୍ଡାଙ୍ଗୀ, ଅତିରିକ୍ତ ତହସିଲଦାର ଦେବୀପ୍ରସାଦ ଷଡ଼ଙ୍ଗୀ, ବ୍ଲକ ଓ ତହସିଲ କର୍ମଚାରୀ ସମେତ ସମ୍ପୃକ୍ତ ଅଧିକାରୀ ଓ ଜନପ୍ରତିନିଧିମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ସେହିପରି ବାଲିଛଡ଼ା ଗାଁ ପାଣି ଘେରରେ ରହିଥିବାରୁ ବିଜେପି ଯୁବ ସଭାପତି ହିତେଶ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଗାଁରେ ପହଞ୍ଚି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ସହ ବିଭିନ୍ନ ପ୍ରକାରର ସହଯୋଗ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଲଗାଣ ବର୍ଷା ଯୋଗୁଁ କଲମପୁର–ଜୁନାଗଡ଼ ମୁଖ୍ୟ ରାସ୍ତାର ବରଗାଁ ନିକଟରେ ଆପ୍ରୋଚ୍‌ ରୋଡ୍‌ ଧୋଇଯାଇଛି। ଫଳରେ ଏହି ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏହାକୁ ନେଇ ଉଭୟ ପାର୍ଶ୍ୱର ଲୋକେ ଯାତାୟାତକୁ ନେଇ ଅସୁବିଧାରେ ପଡ଼ିଛନ୍ତି। ନଦୀର ଜଳସ୍ତର ବଢ଼ି ଚାଷଜମି, ରାସ୍ତାଘାଟ ଓ ତଳିଆ ଅଞ୍ଚଳ ରେ ବ୍ୟାପକ ଫସଲ କ୍ଷତି ପ୍ରଭାବିତ ହେବାର ଆଶଙ୍କା ରହିଛି। ନଦୀକୂଳବାସୀଙ୍କୁ ସତର୍କ ରହିବା ସହ ନଦୀ ମଧ୍ୟକୁ ନଯିବା ପାଇଁ ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି। ବର୍ତ୍ତମାନ ବନ୍ୟା ପରିସ୍ଥିତି ଉପରେ ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ନଜର ରଖିଥିବା ଜଣାପଡିଛି।  ସେହିପରି କଳାହାଣ୍ଡି ଜିଲ୍ଲାର, ଥୁଆମୂଳ ରାମପୁର, କୋକସର, ଜୟପାଟଣା ସମେତ ବିଭିନ ବ୍ଲକ ରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *