ପାଢେଳ–ବରିଗୁଭା ରାସ୍ତା ଶୋଚନୀୟ ; ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

କଣ୍ଟାମାଳ/କ୍ରାନ୍ତିକ୍ଷେତ୍ର : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତ ଅନ୍ତର୍ଗତ ପାଢେଳ ଗ୍ରାମରୁ ବରିଗୁଭାକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡ଼ିଛି। ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ବଡ଼ ଖାଲଖମା ସୃଷ୍ଟି ହେବା ସହ ରାସ୍ତା ଅସମତଳ ହୋଇପଡ଼ିଥିବାରୁ ଯାତାୟାତ କରୁଥିବା ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ବିଶେଷକରି ବର୍ଷାଦିନେ ସମସ୍ୟା ଅଧିକ ଗମ୍ଭୀର ହୋଇପଡ଼ୁଛି। ରାସ୍ତାର ଖାଲଖମାରେ ବର୍ଷାଜଳ ଜମି ରହୁଥିବାରୁ ଗଭୀରତା ଜଣାପଡ଼ୁନାହିଁ। ଫଳରେ ଦୁଇଚକିଆ ଯାନ ଚାଳକଙ୍କ ସମେତ ପଥଚାରୀମାନେ ଦୁର୍ଘଟଣାର ଆଶଙ୍କାରେ ଯାତାୟାତ କରୁଛନ୍ତି। ରାତି ସମୟରେ ଏହି ସମସ୍ୟା ଆହୁରି ବଢ଼ିଯାଉଛି। ଏହି ରାସ୍ତା ଉପରେ ପାଢେଳ, ବରିଗୁଭା ଓ ଆଖପାଖ ଅଞ୍ଚଳର ଅନେକ ଲୋକ ଦୈନନ୍ଦିନ ଯାତାୟାତ ପାଇଁ ନିର୍ଭରଶୀଳ। ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଓ କଲେଜକୁ ଯିବାଆସିବା ସମୟରେ ହଇରାଣ ହେଉଥିବା ବେଳେ ରୋଗୀଙ୍କୁ ଡାକ୍ତରଖାନା ନେବା ସମୟରେ ମଧ୍ୟ ପରିବାର ଲୋକଙ୍କୁ ଅସୁବିଧା ଭୋଗିବାକୁ ପଡ଼ୁଛି। ଚାଷୀ, ଶ୍ରମିକ ଓ ଦୈନନ୍ଦିନ ଯାତ୍ରୀମାନଙ୍କ ଯାତାୟାତ ମଧ୍ୟ ଏହି ରାସ୍ତାର ଖରାପ ଅବସ୍ଥା ଯୋଗୁଁ ପ୍ରଭାବିତ ହେଉଛି। ଦୀର୍ଘଦିନ ଧରି ରାସ୍ତାର ଏଭଳି ଅବସ୍ଥା ରହିଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ହେଉନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ତୁରନ୍ତ ରାସ୍ତାର ଅନୁଧ୍ୟାନ କରାଯାଇ ଖାଲଖମା ପୂରଣ, ଆବଶ୍ୟକ ସ୍ଥାନରେ ମରାମତି ଏବଂ ରାସ୍ତାର ଉନ୍ନତିକରଣ କାର୍ଯ୍ୟ କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ପ୍ରଶାସନ ଏହି ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ଦେଇ ରାସ୍ତାର ଅବସ୍ଥା ଅନୁଧ୍ୟାନ କରି ଆବଶ୍ୟକ ମରାମତି କାର୍ଯ୍ୟ ହାତକୁ ନେଲେ ଅଞ୍ଚଳବାସୀ ଉପକୃତ ହେବା ସହ ଦୈନନ୍ଦିନ ଯାତାୟାତ ସମସ୍ୟାରୁ ମୁକ୍ତି ପାଇପାରିବେ।

Leave a Reply

Your email address will not be published. Required fields are marked *