ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ସୌମ୍ୟ ରଞ୍ଜନ ପାତ୍ର) : ଲାଞ୍ଜିଗଡ଼ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ବିଜେପୁର ଗ୍ରାମର ରଥ ଦଳେଇ (୪୬) ବୋଲି ଜଣାପଡିଛି।ସୂଚନା ଅନୁସାରେ, ରଥଙ୍କ ମୂଳ ଘର ବିଜେପୁରରେ ହୋଇଥିଲେ ମଧ୍ୟ ସେ ଦୀର୍ଘ ୧୦ ବର୍ଷ ହେଲା ରଘୁନାଥପୁରରେ ଶ୍ୱଶୁର ଘର ପାଖରେ ପରିବାର ସହ ରହି ରାଜମିସ୍ତ୍ରୀ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ମଙ୍ଗଳବାର ରାତିରେ ସେ ଘରୁ ବାହାରି ପୋଖରୀ ଆଡ଼କୁ ଯାଇଥିଲେ ଓ ଫେରି ନଥିଲେ। ବୁଧବାର ସକାଳେ ଗାଁର ଜଣେ ବ୍ୟକ୍ତି ପୋଖରୀକୁ ଗାଧୋଇବାକୁ ଯିବା ବେଳେ ମୃତଦେହ ଭାସୁଥିବା ଦେଖି ଗାଁ ଲୋକଙ୍କୁ ଜଣାଇଥିଲେ। ଗାଁ ଲୋକେ ପୋଖରୀ ନିକଟକୁ ଯାଇ ମୃତକ ରଥ ଦଳେଇ ବୋଲି ଚିହ୍ନଟ କରି ଲାଞ୍ଜିଗଡ଼ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଲାଞ୍ଜିଗଡ଼ ଥାନାଧିକାରୀ ଯଶୋବନ୍ତ ହିଆଲଙ୍କ ନେତୃତ୍ୱରେ ଏଏସଆଇ ମୋହନ କୁମାର ପରଜା ଓ ପୋଲିସ ବଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ପୋଖରୀରୁ ମୃତଦେହ ଉଦ୍ଧାର କରି କୂଳକୁ ଆଣିଥିଲେ। ଏହି ସମୟରେ ବିଜେପୁରରୁ ପରିବାର ଲୋକେ ମଧ୍ୟ ପହଞ୍ଚିଥିଲେ।ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏ ନେଇ ଲାଞ୍ଜିଗଡ଼ ଥାନାରେ କେସ୍ ନଂ ୨୮/୨୬ ରେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚାଲିଛି। ବ୍ୟବଚ୍ଛେଦ ପରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ପରିବାର ଲୋକେ ମୃତଦେହକୁ ବିଜେପୁର ନେଇ ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ଦାହ କରିଥିଲେ। ତେବେ ପରିବାରର ଏକମାତ୍ର ରୋଜଗାରିଆ ମୁରବୀଙ୍କ ମୃତ୍ୟୁ ପରେ ପରିବାର ବେସାହାରା ହୋଇପଡିଛି। ତାଙ୍କ ପୁଅ ଦଶମ ଶ୍ରେଣୀରେ ପଢୁଛି। ମା, ପୁଅ ସମେତ ପରିବାର ଲୋକେ ଏବେ ଦୁଃଖରେ ଭାଙ୍ଗିପଡିଛନ୍ତି।

Leave a Reply

Your email address will not be published. Required fields are marked *