ରାୟଗଡ଼ା ପେଣ୍ଟା ଶିବ ମନ୍ଦିର ଚୋରି ଘଟଣାର ପର୍ଦ୍ଦାଫାସ: ୩ ଗିରଫ, ଚୋରି ମୂର୍ତ୍ତି ଓ ଗାଡ଼ି ଜବତ

ରାୟଗଡ଼ା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ କୁମାର ସେନାପତି) : ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ପେଣ୍ଟା ଶିବ ମନ୍ଦିରରେ ଘଟିଥିବା ଏକ ଚୋରି ଘଟଣାର ପୋଲିସ ସଫଳତାର ସହ ପର୍ଦ୍ଦାଫାସ କରିଛି। ଗତ ଅଗଷ୍ଟ ୨୫ ଓ ୨୬ ତାରିଖ ମଧ୍ୟରାତ୍ରିରେ ଏହି ଚୋରି ହୋଇଥିଲା। ପେଣ୍ଟା ଶିବ ମନ୍ଦିରର ପୂଜକ ସି.ଏଚ୍. ନାଗରାଜୁ ଗତ ୨୫ ତାରିଖ ସକାଳେ ମନ୍ଦିରରେ ତାଲା ପକାଇ ନିଜ ଘରକୁ ଯାଇଥିଲେ। ତେବେ ୨୬ ତାରିଖ ସକାଳେ ସେ ଆସି ଦେଖିବା ବେଳକୁ ମନ୍ଦିରର ମୁଖ୍ୟ ଦ୍ୱାରର ତାଲା ଭଙ୍ଗା ଯାଇଥିଲା। ଭିତରକୁ ଯାଇ ଦେଖିଲା ବେଳକୁ ପ୍ରଭୁ ଶିବ ଓ ମାତା ପାର୍ବତୀଙ୍କ ଧାତୁ ମୂର୍ତ୍ତି ସମେତ ଅନ୍ୟାନ୍ୟ ପୂଜା ସାମଗ୍ରୀ କେହି ଦୁର୍ବୃତ୍ତ ଚୋରି କରି ନେଇଥିଲେ। ଏନେଇ ସେ ଚାନ୍ଦିଲି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ନୂଆପଡ଼ାର ମନୋଜ ଦୁର୍ଗା ଏବଂ ପବନ ଗଣ୍ଟା ତଥା ଅମ୍ଳାଭାଟାର ଆଲ୍ଲୁ ହରେକୃଷ୍ଣ। ଜେରା ବେଳେ ଏହି ଅଭିଯୁକ୍ତମାନେ ମନ୍ଦିରରୁ ଚୋରି କରିଥିବା ନେଇ ନିଜର ଦୋଷ ସ୍ୱୀକାର କରିଥିଲେ। ପୋଲିସ ସେମାନଙ୍କ ନିକଟରୁ ୧୩.୯୬ କିଲୋଗ୍ରାମ ଓଜନର ଭଗବାନ ଶିବଙ୍କ ଧାତୁ ମୂର୍ତ୍ତି, ୭.୨୬ କିଲୋଗ୍ରାମ ଓଜନର ମାତା ପାର୍ବତୀଙ୍କ ଧାତୁ ମୂର୍ତ୍ତି, ୫.୬୨ କିଲୋଗ୍ରାମ ଓଜନର ପିତ୍ତଳର ପଞ୍ଚମୁଖୀ ନାଗ ମୂର୍ତ୍ତି, ନଗଦ ୧,୨୫୦ ଟଙ୍କା ଏବଂ କିଛି ଭଙ୍ଗା ତମ୍ବା ଓ ପିତ୍ତଳ ସାମଗ୍ରୀ ଜବତ କରିଛି। ଏହା ସହିତ ଚୋରିରେ ବ୍ୟବହୃତ ହୋଇଥିବା ଗୋଟିଏ ହଳଦିଆ ରଙ୍ଗର ପିଆଜିଓ ଅଟୋ (ଓଡି ୧୮ ସି ୩୧୩୯) ଏବଂ ଗୋଟିଏ ବଜାଜ୍ ପଲସର୍ ବାଇକ୍ (ଏପି ୪୦ ସିକେ ୩୯୭୬) ମଧ୍ୟ ପୋଲିସ ଜବତ କରିଛି। ଏହି ଘଟଣା ସମ୍ପର୍କରେ ସବିଶେଷ ସୂଚନା ଦେବା ପାଇଁ ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ଖବରଦାତା ସମ୍ମିଳନୀରେ ରାୟଗଡ଼ା ଏସଡିପିଓ ଗୌରହରି ସାହୁ, ଚାନ୍ଦିଲି ଥାନା ଆଇଆଇସି ଉତ୍ତମ କୁମାର ସାହୁ ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ। ସମସ୍ତ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *