ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୁଣପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ ମଦାଙ୍ଗଗୁଡା ଓ ମେରକାତରା ଗ୍ରାମରେ ବିଦ୍ୟୁତ ସେବା ବିଚ୍ଛିନ୍ନ ହୋଇପଡ଼ିଛି। ଆଜି ସକାଳ ପ୍ରାୟ ୧୧ଟା ସମୟରେ ଏକ ଗଛର ବଡ଼ ଡାଳ ଭାଙ୍ଗି ୧୧ କେଭି ବିଦ୍ୟୁତ ତାର ଉପରେ ପଡ଼ିବାରୁ ଖୁଣ୍ଟ ଓ ତାର ଛିଣ୍ଡି ରାସ୍ତା ଉପରେ ପଡ଼ିଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବିଦ୍ୟୁତ ଖୁଣ୍ଟ ଓ ତାରଗୁଡ଼ିକ ପୂର୍ବରୁ ହିଁ ଦୁର୍ବଳ ଅବସ୍ଥାରେ ରହିଥିଲା। ଗଛଡାଳ ପଡ଼ିବା ପରେ ପରିସ୍ଥିତି ଅଧିକ ଗମ୍ଭୀର ହୋଇଛି। ରାସ୍ତା ଉପରେ ବିଦ୍ୟୁତ ତାର ଛିଣ୍ଡି ପଡ଼ିଥିବାରୁ ଦୁର୍ଘଟଣାର ଆଶଙ୍କା ମଧ୍ୟ ରହିଛି। ଘଟଣା ସମ୍ପର୍କରେ ନିକଟସ୍ଥ ବିଦ୍ୟୁତ ବିଭାଗକୁ ସୂଚନା ଦିଆଯାଇଥିବା ବେଳେ, ଶୀଘ୍ର ବିଦ୍ୟୁତ ଖୁଣ୍ଟ ଓ ତାର ମରାମତି କରି ବିଦ୍ୟୁତ ସେବା ସ୍ୱାଭାବିକ କରିବାକୁ ଦାବି ହୋଇଛି। ମଦାଙ୍ଗଗୁଡା ଗ୍ରାମରେ ପ୍ରାୟ ୮୦ଟି ଏବଂ ମେରକାତରା ଗ୍ରାମରେ ପ୍ରାୟ ୪୦ଟି ଆଦିବାସୀ ପରିବାର ବସବାସ କରୁଛନ୍ତି। ବିଦ୍ୟୁତ ବିଚ୍ଛିନ୍ନ ହେବା ଯୋଗୁଁ ଏହି ଦୁଇ ଦୁର୍ଗମ ଗାଁ ଏବେ ଅନ୍ଧାରରେ ରହିଛି। ଦୁର୍ଗମ ଅଞ୍ଚଳ ହୋଇଥିବାରୁ ମରାମତି କାର୍ଯ୍ୟରେ ବିଳମ୍ବ ନକରି, ତୁରନ୍ତ ବିଦ୍ୟୁତ ସଂଯୋଗ ସ୍ୱାଭାବିକ କରିବା ସହ ଦୁର୍ବଳ ଖୁଣ୍ଟ ଓ ତାରଗୁଡ଼ିକୁ ଯାଞ୍ଚ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
